Sat. Mar 7th, 2026

ଅଦିନିଆ ବର୍ଷା ଯୋଗୁ ଚିନ୍ତାରେ ଚାଷୀ

206 Views

ରାୟଗଡ଼ା : ଗତକାଲିଠାରୁ ରାଜ୍ୟରେ ବର୍ଷା ସହ କୋହଲା ପାଗ ଲାଗି ରହିଛି। ଅଦିନିଆ ବର୍ଷା ଦେଖି ରାୟଗଡ଼ା ଜିଲ୍ଲା ଚାଷୀ ଭୟଭୀତ ହୋଇ ପଡ଼ିଛନ୍ତି। କ୍ଷେତରୁ ଅମଳ ଶସ୍ୟକୁ କେମିତି ଘରକୁ ନେବେ ସେନେଇ ଚାଷୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଧାନକୁ କିଏ ଟ୍ରାକ୍ଟରରେ ଘରକୁ ବୋହି ନେଉଛି ତ ଆଉ କିଏ ଧାନ ଅମଳ କରିବାକୁ ତତ୍ପର ହୋଇଉଠିଛି। ଶେଷ ମୁହୁର୍ତ୍ତରେ ବର୍ଷ ଯାକର ପରିଶ୍ରମ ଯେପରି ପାଣିରେ ନ ପଡ଼ିବ, ସେଥିଲାଗି ଚାଷୀମାନେ ଉଦ୍ୟମ ଜାରି ରଖିଛନ୍ତି।

ଅନ୍ୟପଟେ ଟୋକନ ଦେଇ ଚାଷୀଙ୍କଠାରୁ କିଣୁଥିବା ଧାନ ବସ୍ତା ମାସମାସ ଧରି ମଣ୍ଡିରେ ପଡ଼ି ରହୁଛି। ଫଳରେ ଶୀତ, କାକର ଓ ବର୍ଷାରେ ଏହି ଧାନ ଭିଜୁଛି। ମଣ୍ଡିରେ ପଡ଼ିଥିବା ଧାନକୁ କିପରି ସୁରକ୍ଷା ଦେବ, ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ।

ଚାଷୀ ବିଭୁ ପ୍ରଧାନ କହିଛନ୍ତି,“ ଖଳାରେ ବର୍ଷକର ଅମଳ ପଡ଼ି ରହିଛି। ଅଦିନିଆ ବର୍ଷା ଯୋଗୁ ବର୍ଷକର ଅମଳ ନଷ୍ଟ ହୋଇଯିବ। ସେଥିପାଇଁ ଆମେ ଚିନ୍ତାରେ ରହିଛୁ।”

ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା କହିଛନ୍ତି ,“ ଚାଷୀମାନେ କିପରି ଅମଳ ଧାନକୁ ରଖିବେ, ସେନେଇ ପରାମର୍ଶ ଦିଆଯାଉଛି। ଧାନକୁ ଘୋଡ଼ାଇ ରଖିବାକୁ ଜରି ଯୋଗାଇ ଦିଆଯାଉଛି। ମଣ୍ଡିରେ ପଡ଼ିଥିବା ଧାନକୁ ମିଲ୍‌କୁ ନେବାକୁ ମିଲରଙ୍କୁ କୁହାଯାଇଛି।”

By amfnews

Related Post