Sat. Mar 7th, 2026

ଅଟଳ ପେନ୍‌ସନ୍‌ ଯୋଜନା: ୩.୬୧ ଲକ୍ଷ ଲୋକ ସାମିଲ

348 Views

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅଟଳ ପେନ୍‌ସନ୍‌ ଯୋଜନା (ଏପିଓ୍ଵାଇ)ରେ ଓଡ଼ିଶାର ୩ ଲକ୍ଷ ୬୧ ହଜାର ଲୋକ ସାମିଲ ହୋଇସାରିଲେରି। ରାଜ୍ୟରେ ଥିବା ୩୪୬୦ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ଜରିଆରେ ସର୍ବାଧିକ ୩ ଲକ୍ଷ ୨୧ ହଜାର ଲୋକ ଏହି ଯୋଜନାରେ ସାମିଲ ହୋଇଛନ୍ତି। ସେହିପରି ୧୦୦୦ଟି ଗ୍ରାମ୍ୟ ବ୍ୟାଙ୍କ ଶାଖା ଜରିଆରେ ୩୬,୮୦୦, ଘରୋଇ ବ୍ୟାଙ୍କର ୧୪୦ଟି ଶାଖା ଜରିଆରେ ୨୬୦୦ ଓ ଡାକ ଘର ଜରିଆରେ ୧୨୦୦ ଲୋକ ଅଟଳ ପେନ୍‌ସନ୍‌ ଯୋଜନାରେ ସାମିଲ ହୋଇଛନ୍ତି। ସାରା ଦେଶରେ ୧ କୋଟି ୧୦ ଲକ୍ଷ ଅଟଳ ପେନ୍‌ସନ୍‌ ଯୋଜନା ଗ୍ରାହକ ରହିଛନ୍ତି। ସେଥି ମଧ୍ୟରୁ ୪୮ ଲକ୍ଷ ଗ୍ରାହକ ୨୦୧୭-୧୮ରେ ସାମିଲ ହୋଇଛନ୍ତି। ଚଳିତ ବର୍ଷ ଆଉ ୫୦ ଲକ୍ଷ ଗ୍ରାହକଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ପିଏଫ୍‌ଆର୍‌ଡିଏ ଲକ୍ଷ୍ୟ ରଖିଛି। ସେଥି ମଧ୍ୟରୁ ୩% ନୂଆ ଗ୍ରାହକ ଓଡ଼ିଶାରୁ ଆସିବେ ବୋଲି ଏହି ସଂସ୍ଥା ଆଶା ରଖିଛି। ୨୦୧୮-୧୯ ଆର୍ଥିକ ବର୍ଷର ଏପ୍ରିଲ୍‌-ଜୁଲାଇ ମାସ ମଧ୍ୟରେ ୧୩ ଲକ୍ଷ ନୂଆ ଗ୍ରାହକ ଅଟଳ ପେନ୍‌ସନ୍‌ ଯୋଜନାରେ ସାମିଲ ହୋଇଛନ୍ତି।

ପିଏଫ୍‌ଆର୍‌ଡିଏର ପୂର୍ଣ୍ଣକାଳୀନ ସଦସ୍ୟ ସୁପ୍ରତିମ ବନ୍ଦୋପାଧ୍ୟାୟ କହିଛନ୍ତି ଯେ, ଅଟଳ ପେନ୍‌ସନ୍‌ ଯୋଜନା ଜରିଆରେ ଯେଉଁ ପାଣ୍ଠି ସଂଗ୍ରହ ହୋଇଛି ତାହାକୁ ତିନିଟି ସଂସ୍ଥା ଏସ୍‌ବିଆଇ, ଏଲ୍‌ଆଇସି ଓ ୟୁଟିଆଇ ପରିଚାଳନା କରୁଛନ୍ତି। ଗ୍ରାହକଙ୍କ ପାଣ୍ଠିକୁ ସରକାରୀ ପ୍ରତିଭୂତି (୫୦%), ବଣ୍ଡ୍‌ (୩୫%) ଓ ଇକ୍ୱିଟି ବଜାରରେ(୧୫%) ନିବେଶ କରାଯାଉଛି। ଗତବର୍ଷ ନିବେଶ ରାଶି ଉପରେ ୮.୨%ର ସୁଧ ମିଳିଥିଲା ବୋଲି ସେ କହିଛନ୍ତି। ଅଟଳ ପେନ୍‌ସନ୍‌ ଯୋଜନାକୁ ଆକର୍ଷଣୀୟ କରିବା ପାଇଁ ସର୍ବନିମ୍ନ ପେନ୍‌ସନ୍‌ ପରିମାଣ ୫ ହଜାର ଟଙ୍କାରୁ ବଢ଼ାଇ ୧୦ ହଜାର ଟଙ୍କା କରିବା ଓ ପ୍ରବେଶ ବୟସ ସୀମାକୁ ୪୦ ବର୍ଷରୁ ବଢ଼ାଇ ୫୦ ବର୍ଷ କରିବାକୁ ପିଏଫ୍‌ଆର୍‌ଡିଏ ପକ୍ଷରୁ କେନ୍ଦ୍ର ଆର୍ଥିକ ସେବା ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ଏହା ବ୍ୟତୀତ ଇକ୍ୱିଟିରେ ନିବେଶ ପରିମାଣ ୧୫%ରୁ ବଢ଼ାଇ ୨୦% କରିବାକୁ ମଧ୍ୟ ପିଏଫ୍‌ଆର୍‌ଡିଏ ପ୍ରସ୍ତାବ ଦେଇଛି ବୋଲି ଶ୍ରୀ ବନ୍ଦୋପାଧ୍ୟାୟ କହିଛନ୍ତି।

By amfnews

Related Post