Sun. Mar 8th, 2026

ଅଟଳବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦୀ

159 Views

ନୂଆଦିଲ୍ଲୀ  : ଶୁକ୍ରବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ପ୍ରତିଷ୍ଠାତା ସଦସ୍ୟ ଅଟଳବିହାରୀ ବାଜପେୟୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କର ସ୍ମାରକୀ ‘ସଦୈବ ଅଟଳ’ ଠାରେ ଭାରତୀୟ ଜନତା ପାର୍ଟି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛି।

ଦୀର୍ଘ ଦିନର ଅସୁସ୍ଥତା ପରେ ଗତ ବର୍ଷ ଅଗଷ୍ଟ ୧୬ ତାରିଖ ଦିନ ୯୩ ବର୍ଷ ବୟସରେ ଏମ୍‌ସ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ଜାତୀୟ କାର୍ଯ୍ୟକାରିଣୀ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଦଳର ଅନ୍ୟ ନେତୃବୃନ୍ଦ ବାଜପେୟୀଙ୍କ ସ୍ମାରକୀପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ବାଜପେୟୀ ପାଳିତା କନ୍ୟା ନମିତା କୌଲ୍‌ ଭଟ୍ଟାଚାର୍ଯ୍ୟ ଏବଂ ନାତୁଣୀ ନିହାରିକା ମଧ୍ୟ ତାଙ୍କ ମୃତ୍ୟୁ ବାର୍ଷିକୀ ଅନୁଷ୍ଠାନରେ ଉପସ୍ଥିତ ଥିଲେ। ୧୯୯୮ରୁ ୨୦୦୪ ଯାଏଁ ନେସ୍‌ନାଲ୍‌ ଡେମୋକ୍ରାଟିକ୍‌ ଆଲିଏନ୍‌ସ୍‌ ସରକାରର ନେତୃତ୍ୱ ନେଇଥିବା ବାଜପେୟୀ ଥିଲେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିବା ପ୍ରଥମ ବିଜେପି ନେତା। ୧୯୯୬ରେ ସ୍ୱଳ୍ପ କାଳ ପାଇଁ ଏବଂ ୧୯୯୮ ଓ ୨୦୦୪ ମଧ୍ୟରେ ଦୁଇ ଥର- ସମୁଦାୟ ତିନି ଥର ବାଜପେୟୀ ପ୍ରଧାନମନ୍ତ୍ରୀ ହୋଇଥିଲେ। ଡିସେମ୍ବର ୨୫ ତାରିଖରେ ପଡୁଥିବା ତାଙ୍କ ଜନ୍ମଦିନକୁ ‘ଗୁଡ୍‌ ଗଭର୍ଣ୍ଣାନ୍‌ସ୍‌ ଡେ’ ଭାବେ ପାଳନ କରାଯାଏ। ୨୦୧୪ରେ ତାଙ୍କୁ ଭାରତ ରତ୍ନ ସମ୍ମାନରେ ବିଭୂଷିତ କରାଯାଇଥିଲା।

By amfnews

Related Post