Wed. Apr 24th, 2024

୨୦୧୯ ନିର୍ବାଚନରେ ରାଫେଲ ଡିଲ୍‌କୁ ମୁଖ୍ୟ ଅସ୍ତ୍ର କରିବାକୁ ରାହୁଲଙ୍କ ଗୁରୁମନ୍ତ୍ର

By Naresh Kumar Aug 18, 2018 #Featured
254 Views

ନୂଆଦିଲ୍ଲୀ, ଅଗଷ୍ଟ ୧୮: ୨୦୧୯ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । ଉଭୟ କେନ୍ଦ୍ର ଓ ରାଜ୍ୟରେ କିଭଳି ଶାସକ ଦଳଙ୍କୁ ମାତ୍‌ ଦେବ ସେଥିପାଇଁ ଚାଲିଛି ମାନସମନ୍ଥନ । ଏଥିନେଇ ଆଜି ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ବୈଠକ । ଏହି ବୈଠକରେ ସମସ୍ତ ରାଜ୍ୟର ପିସିସି ସଭାପତି ଓ ପ୍ରଭାରୀମାନେ ଯୋଗ ଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନ, ଟିକେଟ୍‌ ବଣ୍ଟନ ଓ ରାଫେଲ ଡିଲ୍‌ନେଇ ଆଲୋଚନା ହୋଇଛି । ରାଫେଲ୍‌ ଡିଲ୍‌ ଅନିୟମିତତାକୁ ମୁଖ୍ୟ ଅସ୍ତ୍ର କରିବାକୁ ହାଇକମାଣ୍ଡ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଆସନ୍ତାକାଲିଠାରୁ ପିଇସି ବୈଠକ, ସମ୍ଭାବ୍ୟ ପ୍ରାର୍ଥୀ ନେଇ ହେବ ଆଲୋଚନା 

ଆଜି ନୂଆଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟର ୱାର ରୁମ୍‌ରେ ବସିଥିବା ବୈଠକରେ ରାହୁଲ ଗାନ୍ଧୀ ପ୍ରତ୍ୟେକ ରାଜ୍ୟର ପ୍ରଭାରୀ ଓ ପିସିସି ସଭାପତିଙ୍କ ସହିତ ରାଜ୍ୟ ଗୁଡ଼ିକର ମୁଖ୍ୟ ପ୍ରସଙ୍ଗରେ ତର୍ଜମା କରିଥିଲେ । ଏଥିରେ ଓଡ଼ିଶାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ପ୍ରଭାରୀ ଜିତେନ୍ଦ୍ର ସିଂହ ଯୋଗ ଦେଇଥିଲେ । ବୈଠକରେ ନିଷ୍ପତ୍ତି ଓ ସୁପ୍ରିମୋଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଫେଲ୍‌ ଡିଲ୍‌ ଅନିୟମିତତାକୁ ପ୍ରସଙ୍ଗ କରି ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ଲୋକଙ୍କ ପାଖରେ ପହଁଚାଯିବ ବୋଲି ବୈଠକ ଶେଷ ହେବା ପରେ ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି । ଓଡ଼ିଶାର କୋରାପୁଟ ସୁନାବେଡ଼ାରେ ହୋଇଥିବା ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ଼୍‌ (ହାଲ୍‌)ରେ ରାଫେଲ୍‌ ଡିଲ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇନାହିଁ । ଏହା ଦ୍ୱାରା ଜେଟ୍‌ ନିର୍ମାଣ ହୋଇପାରି ନାହିଁ । ଯାହାକି ନିଯୁକ୍ତି କ୍ଷେତ୍ରରେ ଗଭୀର ପ୍ରଭାବ ପକାଇଛି । ଏଥିରେ ଯୁବ ବର୍ଗ କିଭଳି ଭାବେ କ୍ଷତି ସହିଛନ୍ତି ତାହାକୁ ପ୍ରସଙ୍ଗ କରି ଲୋକଙ୍କ ନିକଟରେ କଂଗ୍ରେସ ପହଁଚିବ ବୋଲି ନିରଞ୍ଜନ ସୂଚନା ଦେଇଛନ୍ତି । ସେହିପରି ଆସନ୍ତାକାଲିଠାରୁ ୩ ଦିନିଆ ପ୍ରଦେଶ ଇଲେକ୍ସସନ୍‌ କମିଟି (ପିଇସି) ବୈଠକ ବସିବ । ୨୦୧୯ ନିର୍ବାଚନରେ ପ୍ରାର୍ଥୀ ଚୟନ ନେଇ ଆଲୋଚନା ହେବ । ଏହା ପରେ ଏକ ରିପୋର୍ଟ ପ୍ରସ୍ତୁତ କରାଯାଇ ଏଆଇସିସିକୁ ଦିଆଯିବ ବୋଲି ପ୍ରଭାରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି ।

ପିଇସି କମିଟି ଗଠନରେ ଅସନ୍ତୋଷ ଅଭିଯୋଗକୁ ଖଣ୍ଡନ କଲେ ପ୍ରଭାରୀ 

ଅନ୍ୟପକ୍ଷରେ ୨୧ ଜଣିଆ ପିଇସି କମିଟିରେ ଜୟଦେବ ଜେନାଙ୍କ ନାମ ନ ରହିବା ନେଇ ଦଳରେ ବଢ଼ିଥିବା ଅସନ୍ତୋଷ ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି ପ୍ରଭାରୀ । ସେ କହିଛନ୍ତି ଯେ ଦଳର ସମସ୍ତ ବରିଷ୍ଠ ନେତାଙ୍କୁ ନୂତନ ଗଢ଼ା ହୋଇଥିବା କମିଟିରେ ରଖାଯାଇଛି । ଜୟଦେବ ଜେନାଙ୍କୁ ୪୨ ଜଣିଆ କୋର କମିଟିରେ ଅଧ୍ୟକ୍ଷ ରହିଛନ୍ତି । ତେଣୁ କମିଟିକୁ ନେଇ ଦଳୀୟ କନ୍ଦଳ ସୃଷ୍ଟି ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଭାରୀ ଜିତେନ୍ଦ୍ର ସିଂହ ।

Related Post