Fri. Mar 29th, 2024

ସ୍ୱଚ୍ଛତାର ନମୁନା: ଧର୍ମଶାଳା ତହସିଲଦାରଙ୍କ ନିକଟରେ ଅସହାୟ ରାଜସ୍ୱ ବିଭାଗ

mailmesatisbiswal@gmail.com' By Satish Biswal Jun 12, 2018 #Featured
260 Views

ଯାଜପୁର,୧୨/୦୬(ସ୍ୱ.ପ୍ର) ଅନେକ କ୍ଷେତ୍ରରେ ଖୋଦ ରକ୍ଷକ ଭକ୍ଷକ ସାଜିଥିବାରୁ ସରକାରୀ କଳ ହିଁ ସରକାରୀ ସମ୍ପତିର ହରିଲୁଟର କାରଣ ହୋଇଛି । ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଏହାର ଏକ ଦୃଷ୍ଟାନ୍ତ ସାଜିଛି । ଏଠାରେ ପାହାଡ ପର୍ବତ ଠାରୁ ନଦୀବାଲି ପର୍ଯ୍ୟନ୍ତ ହରିଲୁଟରେ ଖୋଦ ତହସିଲ ଅଧିକାରୀ କାର୍ପଟଦାର ସାଜିଥିବା ବେଳେ ଏବେ ସରକାରୀ ଜମି ହରିଲୁଟକୁ ବି ତହସିଲଦାର ସୁରକ୍ଷା ଦେଉଛନ୍ତି । ଏହି ତହସିଲ ଅନ୍ତର୍ଗତ ଗୋଟିଏ ସ୍ଥାନରୁ ବହୁଲକ୍ଷ ଟଙ୍କାର ସରକାରୀ ଜମି ବ୍ୟକ୍ତିଗତ ମାଲିକାନାକୁ ଚାଲିଯିବା ନେଇ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗର ନିର୍ଦ୍ଦେଶକୁ ମାନୁନାହାନ୍ତି ଧର୍ମଶାଳା ତହସିଳଦାର । ଏଥିନେଇ ରାଜସ୍ୱ ସଚିବଙ୍କୁ ସାକ୍ଷାତ କରି ଦୃଷ୍ଟି ଆକର୍ଷଣ ପରେ ସେ ଏହି ଘଟଣାରେ ହସ୍ତକ୍ଷେପ କରିବା ସହ ରାଜସ୍ୱ ବିଭାଗର ଜଏଂଟ ସେକ୍ରେଟାରୀ ଅଭୟ ନାୟକଙ୍କୁ ଧର୍ମଶାଳା ପଠାଯାଇ ତଦନ୍ତ କରାଯିବାକୁ ପ୍ରତିଶୃତି ଦେଇଛନ୍ତି । ହେଲେ ଏହି ପ୍ରତିଶୃତି ମିଳିବାର ୧୫ ଦିନ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ସତେ ଯେମିତି ଦୁର୍ନିତିଗ୍ରସ୍ତ ତହସିଲଦାରଙ୍କ ନିକଟରେ ଅସହାୟ ପାଲଟିଛି ରାଜସ୍ୱ ବିଭାଗ । ତେବେ ଏହା ସ୍ୱଚ୍ଛ ଶାସନର ଏକ ନମୁନା ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଶାସନ ପ୍ରତିଶୃତିକୁ ରକ୍ଷା ପାଇଁ ରାଜସ୍ୱ ସଚିବ ଠୋସ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ମତ ପ୍ରକାଶ ପାଉଛି ।

ଖବରରୁ ପ୍ରକାଶ, ଧର୍ମଶାଳା ତହସିଲ ଅଂଚଳରେ ବହୁ ମୂଲ୍ୟବାନ ସରକାରୀ ଜମି ହଡପ ନେଇ ଦୀର୍ଘବର୍ଷ ହେଲା ଅଭିଯୋଗ ହୋଇ ଆସୁଥିଲେ ବି ଏଥିନେଇ କୌଣସି ଠିକଣା ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଫଳରେ ରାଜ୍ୟରେ କ୍ଷମତାସୀନ ସରକାରର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି । ତେବେ ତଳଗଡ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଅନ୍ତର୍ଗତ ଗୋଟିଏ ସ୍ଥାନରେ ପ୍ରାୟ ୧୪.୭୧ ଏକର ସରକାରୀ ଜମି ଅତି ଚତୁରତାର ସହ ବ୍ୟକ୍ତିଗତ ମାଲିକାନାକୁ ଚାଲିଯାଇଥିବା ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ସଚିବଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଆଧାରରେ ରାଜସ୍ୱ ବିଭାଗର ଜଏଂଟ ସେକ୍ରେଟାରୀ ଅଭୟ କୁମାର ନାୟକ ଗତ ତା୧୪.୩.୧୮ ରିଖରେ ଯାଜପୁର ଜିଲ୍ଲାପାଳଙ୍କୁ ଏକ ପତ୍ର (ନଂବର-୯୧୭୧) ଦେଇଥିଲେ । ଏହି ପତ୍ରରେ ଦର୍ଶାଯାଇଥିଲା ଯେ, ଅଭିଯୋଗରେ ଥିବା ପ୍ରମାଣଯୋଗ୍ୟ ତଥ୍ୟକୁ ଭିତି କରି ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବାକୁ ତୁରନ୍ତ ଏଥିନେଇ ତଦନ୍ତ କରାଯିବା, ରିଭିଜନ ପିଟିସନ କେସ ମେମ୍ବେର ବୋର୍ଡ ଅଫ ରେଭିନ୍ୟୁଙ୍କ ନିକଟରେ କେସ କରାଯିବା, ଅନ୍ୟାନ୍ୟ ଆଇନଗତ ପଦକ୍ଷେପ ପାଇଁ ସରକାରୀ ଓକିଲଙ୍କ ପରାମର୍ଶ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଅଭିଯୋଗର ଗୁରୁତ୍ୱ ଦୃଷ୍ଟିରୁ ଏଥିନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜସ୍ୱ ସଚିବଙ୍କ ସହମତି ଥିବାର ମଧ୍ୟ ପତ୍ରରେ ଉଲ୍ଲେଖ କରାଗଲା । ଏହାପରେ ସରକାରଙ୍କ ରାଜସ୍ୱ ବିଭାଗର ସମୀକ୍ଷା ବୈଠକରେ ମଧ୍ୟ ତୁରନ୍ତ ଏଥିନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଜପୁର ଜିଲ୍ଲା ପ୍ରଶାସନକୁ ତାଗିଧ କରାଯାଇ ଥିଲା । ଏହାପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ଏବଂ ଉତର ନମିଳିବା ନେଇ ପୁନଶ୍ଚ ରାଜସ୍ୱ ବିଭାଗର ଜଏଂଟ ସେକ୍ରେଟାରୀ ତା୨୧.୪.୨୦୧୮ ରିଖରେ ଆଉ ଏକ ରିମାଇଣ୍ଡର ପତ୍ର ନଂବର ୧୪୫୧୪ ଯାଜପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ତେବେ ସରକାରୀ ଜମି ବ୍ୟକ୍ତଗତ ମାଲିକାନାକୁ ଚାଲିଯିବା ନେଇ ହୋଇଥିବା ତଥ୍ୟଭିତିକ ଅଭିଯୋଗକୁ ତର୍ଜମା କରାଯିବା ପରେ ରାଜସ୍ୱ ବିଭାଗ ତରଫରୁ ଏଭଳି ପତ୍ର ଦିଆଯାଇ ଥିଲା । ଯଦି ଅଭିଯୋଗଟି ମିଥ୍ୟା ତେବେ ଧର୍ମଶାଳା ତହସିଲ ତରଫରୁ ଏଥିନେଇ ରିପୋର୍ଟ ପ୍ରଦାନ କରିବାରେ କୌଣସି ଅସୁବିଧା ନାହିଁ । ହେଲେ ଅଭିଯୋଗରେ ଏଭଳି ପ୍ରମାଣଯୋଗ୍ୟ ତଥ୍ୟ ରହିଛି, ଯାହାକୁ କାଟିବାକୁ ଧର୍ମଶାଳା ତହସିଲଦାର ବାଟ ପାଉ ନଥିବାରୁ କୌଣସି ଉତର ନଦେଇ ରାଜସ୍ୱ ବିଭାଗ ନିର୍ଦ୍ଦେଶକୁ କେବଳ ମାଡି ବସିଛନ୍ତି । ସରକାରୀ ଜମି ଜବରଦଖଲ କଲେ ଜେଲ ଦଣ୍ଡ ଭଳି କଠୋର ପଦକ୍ଷେପ ଗ୍ରହଣ କରିଥିବା ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ସରକାରରେ ପ୍ରଶାସନ ଆଖିରେ ଆଙ୍ଗୁଠି ଖେଂଚି ଠୋସ ପ୍ରମାଣ ଦିଆଯିବା ପରେ ବି ସରକାରୀ କଳ ସରକାରଙ୍କ ସମ୍ପତି ଲୁଟେରାଙ୍କୁ ଓଲଟା ସୁରକ୍ଷା ଦେବାର ବାଟ ଖୋଜୁଛି । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବା, ରାଜସ୍ୱ ବିଭାଗ ପତ୍ର ନେଇ କୌଣସି ଉତର ନମିଳିବା ନେଇ ପତ୍ରରେ ଅସନ୍ତୋଷ ପ୍ରକାଶ କରାଯିବା ସହ ଜିଲ୍ଲାପାଳ ନିଜେ ବ୍ୟକ୍ତିଗତ ଭାବେ ଘଟଣା ନେଇ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଖୁବଶିଘ୍ର ଗ୍ରହଣ କରିବାକୁ ଅନୁରୋଧ କରାଯାଇ ଥିଲା । ଏହାସତ୍ୱେ ବି ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ଏଥିନେଇ ଉପରୋକ୍ତ ଦୁଇଟି ଯାକ ପତ୍ର ସହ ରାଜସ୍ୱ ସଚିବଙ୍କୁ ସାକ୍ଷାତ କରି ଏଥିନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଏହିଭଳି ଭାବେ ଧର୍ମଶାଳା ତହସିଲରେ ବ୍ୟାପକ ବେଆଇନ କାର୍ଯ୍ୟ ଚାଲିଥିବା ବେଳେ ଦୁର୍ନିତିଗ୍ରସ୍ତ ଅଧିକାରୀଙ୍କ ପାଇଁ ସରକାର ଏଠାରୁ ଦୈନିକ ବହୁକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ୱ ବିଭାଗ କାର୍ଯ୍ୟାଳୟରୁ ସରକାରଙ୍କ ସ୍ୱାର୍ଥ ଓ ଜନସ୍ୱାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗରେ ଆସୁଥିବା ତଦନ୍ତ ନିର୍ଦ୍ଦେଶକୁ ଏଠାରେ ଖାତିର କରାଯାଉ ନଥିବା ବେଳେ ଏହାକୁ ଚାପି ଦିଆଯାଉଛି । ଧର୍ମଶାଳା ତହସିଲଦାର ଏଭଳି ଜମିଷ୍କାମ ଘଟଣାକୁ ଚପାଇବା ଉଦ୍ୟମ କରିବା ସହ ସ୍ଥାନୀୟ ଅଂଚଳରେ ବେଆଇନ ଭାବେ ଜମିର ମାଲିକ ସାଜିଥିବା ନିକଟସ୍ଥ ମୌଜାରେ ଜମିକୁ ତରବରିଆଭାବେ ବିକ୍ରି କରିବାର ସୁଯୋଗ ପ୍ରଦାନ କରାଯାଇ ଥିବାର ଅଭିଯୋଗ ହେଉଛି । ଏହି ତହସିଲର ଅନ୍ୟ ଏକ ଘଟଣାରେ ସରକାରୀ ଜମି ଜମରଦଖଲ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ହୋଇଥିବା ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ତଦନ୍ତ ନିର୍ଦ୍ଦେଶକୁ ଧର୍ମଶାଳା ତହସିଲଦାର ଚାପିବା ଫଳରେ ଜବରଦଖଲକାରୀମାନେ ଉତ୍ସାହିତ ହୋଇ ଅଭିଯୋଗକାରୀ ଚଉଷଠୀପଡାର ଦେବପ୍ରସାଦ ଦେବଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି ।

Related Post