Sat. Apr 20th, 2024

ସରକାରଙ୍କୁ ଠକୁଛି  ପୂର୍ତ ବିଭାଗ  ଜେନାପୁର-କୁଆଖିଆ ପୋଲ କାର୍ଯ୍ୟ ମନ୍ଥରତା ନେଇ ହେଉନି କାର୍ଯ୍ୟାନୁଷ୍ଠାନ

manasranjanbiswal07@gmail.com' By Manas Ranjan Biswal Jun 26, 2018 #Featured
231 Views

ଯାଜପୁର,୨୫/୦୬: ଅନେକ କ୍ଷେତ୍ରରେ ବାଡ ଖାଉଛି ଫସଲ । ସରକାରଙ୍କ ସ୍ୱାର୍ଥରକ୍ଷା ପାଇଁ ଥିବା ସରକାରୀକଳ ସରକାରଙ୍କୁ ଠକୁଛି । ଏହାର ଏକ ନମୁନା ସାଜିଛି ଯାଜପୁର ଜିଲ୍ଲାର ପାଣିକୋଇଲି ପୂର୍ତ ଡିଭିଜନ । ଏହି ଡିଭିଜନ ଅନ୍ତର୍ଗତ କୁଆଖିଆ- ଜେନାପୁର ବ୍ରିଜ ନିର୍ମାଣ କାର୍ଯ୍ୟ ଠିକ ଭାବରେ ଆଗେଇ ପାରୁନାହିଁ । ୨୦୧୧ ମସିହାରେ ୪୪ କୋଟି ୬୫ ଲକ୍ଷ ୩୩ ହଜାର ୮୨୯ ଟଙ୍କାର ନାବାର୍ଡ ଅନୁଦାନରେ ଆରମ୍ବ ହୋଇଥିବା ଏହି ବ୍ରିଜ କାର୍ଯ୍ୟରେ ବିଳମ୍ବ ହେବା ଫଳରେ ଧର୍ମଶାଳା ଓ ରସୁଲପୁର ବ୍ଲକର ଶତାଧିକ ଗ୍ରାମର ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ।

ଇତି ମଧ୍ୟରେ ଏହି ବ୍ରିଜ ୩୨ ଟି ପିଲର ଶେଷ ହୋଇଥିବା ସହ ଜମି ଅଧିଗ୍ରହଣ ପାଇଁ ଆଉ ଦୁଇଟି ପିଲର କାମ ଶେଷ ହୋଇନାହିଁ ବୋଲି ବିଭାଗ ତରଫରୁ ସରକାରଙ୍କୁ ରିପୋର୍ଟ କରାଯାଇଥିବାର କୁହାଯାଉଛି । ହେଲେ ବାସ୍ତବରେ ଜମି ଅଧିଗ୍ରହଣ ସମସ୍ୟା ନୁହେଁ ବରଂ ଜମି ଅଧିଗ୍ରହଣକୁ ଆଳ କରାଯାଇଛି । ଏଥିନେଇ ବିଭାଗ ତରଫରୁ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି ।

ଖବରରୁ ପ୍ରକାଶ, ବ୍ରିଜର ଜେନାପୁର ପଟରେ ଥିବା ଏକ ଜମି ଅଧିଗ୍ରହଣ ନେଇ ସମସ୍ୟା ସୃଷ୍ଟି ହୋଇଥିଲେ ମଧ୍ୟ ଜମିର ମାଲିକ ଜମି ଦେବାକୁ ବାରମ୍ବାର ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଜଣାଇଛନ୍ତି । ହେଲେ ଜମି ଅଧିଗ୍ରହଣ ପାଇଁ ଥିବା ପ୍ରକିୟାରେ ବିଭାଗ ତରଫରୁ ମନୋମୁଖୀ କାର୍ଯ୍ୟ କରାଯାଇ ଜମି ଅଧିଗ୍ରହଣ ନେଇ ମାପଚୁପ ସମୟରେ ଜମିର ମାଲିକଙ୍କୁ କୌଣସି ଖବର କରାଯାଇ ନଥିଲା । ଏପରିକି  ଜମିରେ ଥିବା ମୂଲ୍ୟବାନ ଫଳନ୍ତି ବୃକ୍ଷ ନେଇ ମଧ୍ୟ କୌଣସି ଆକଳନ କରାଯାଇ ନଥିଲା ।

ଏହାର ପ୍ରତିବାଦରେ ଜମି ମାଲିକ ଜମି ଦେବାନେଇ ବିରୋଧ କରିବା ସହ ଜମିର ଉପଯୁକ୍ତ ମୂଲ୍ୟ ପ୍ରଦାନ ସହ ପୋଲ ପାଇଁ ହରାଉଥିବା ଜମି ନେଇ ଚିହ୍ନଟ ପ୍ରକିୟାରେ ତାଙ୍କୁ ସାମିଲ କରିବାକୁ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ନିବେଦନ କରିଥିଲେ । ତେବେ ବାସ୍ତବରେ ଜମି ଅଧିଗ୍ରହଣ କେବଳ ଆଳ ହୋଇଥିବା ବେଳେ ଜମି ଅଧିଗ୍ରହଣ ପ୍ରକିୟାକୁ ବିଭାଗ ପକ୍ଷରୁ ଜାଣିଶୁଣି ଅଧିକ ଗୋଳମାଳ କରାଯାଇଥିଲା । ଜମି ଅଧିଗ୍ରହଣ ଆଳରେ କାମରେ ବିଳମ୍ବ ନେଇ ଠିକାଦାର ସଂସ୍ଥା ଏଆରଏସଏସ ର ଥିବା ଦୋଷତ୍ରୁଟିକୁ ଘଣ୍ଟ ଘୋଡାଯିବାକୁ ଉଦ୍ୟମ କରାଗଲା ବୋଲି ସାଧାରଣରେ ଅଭିଯୋଗ ହେଉଛି ।

କେତେକ ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ଯଦି ଜମି ଅଧିଗ୍ରହଣ ନେଇ ସମସ୍ୟା ପାଇଁ ବ୍ରିଜ କାର୍ଯ୍ୟରେ ବିଳମ୍ବ ହେଲା, ତେବେ ଉକ୍ତ ଜମି ଉପରେ ଥିବା ପିଲର ବ୍ୟତୀତ ନଦୀ ମଝିରେ ଥିବା ପିଲର ନିର୍ମାଣ ନହେବା ପଛରେ କାରଣ କଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ନଦୀ ମଝିରେ ଗୋଟିଏ ପିଲର ନିର୍ମାଣ ହୋଇ ନଥିବା ବେଳେ ପାଞ୍ଚୋଟି ପିଲର ଉପରେ ଛାତ ନପଡିବା କାରଣ କଣ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨୦୧୧ ମସିହାରେ ଆରମ୍ବ ହୋଇଥିବା ଏହି ପୋଲ ନିର୍ମାଣ କାର୍ଯ୍ୟ ୨୦୧୪ ସୁଦ୍ଧା ଶେଷ ହେବା କଥା ।

ଯେଉଁ ଜମି ଅଧିଗ୍ରହଣରେ ସମସ୍ୟା ହୋଇଛି, ଉକ୍ତ ଜମି ଅଧିଗ୍ରହଣ ପାଇଁ ବିଭାଗ ତରଫରୁ ୨୦୧୫ ରେ ଉଦ୍ୟମ ଆରମ୍ବ ହେଲା । ୨୦୧୪ ରେ କାମ ଶେଷ କରିବାକୁ ଚୁକ୍ତି କରିଥିବା ଠିକାଦାର ୨୦୧୫ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ ପ୍ରକିୟା କରାନଯିବା ଅନ୍ତରାଳରେ କିଏ ଦାୟୀ, ସେଥିନେଇ ବିଭାଗ ତରଫରୁ ଖୋଳତାଡ କରାଯାଉ ନାହିଁ । ଅପରନ୍ତୁ ସରକାରୀ କା ମାଲ ଦରିଆ ମେ ଦାଲ ନୀତିରେ କେବଳ ପୋଲ ନିର୍ମାଣର ଅବଧିକୁ ବଢାଇ ଚାଲିଛି ପୂର୍ତ୍ତ ବିଭାଗ । ପୋଲ ନିର୍ମାଣରେ ବିଳମ୍ବ ନେଇ ଠିକାଦାର ସଂସ୍ଥା ତରଫରୁ ଯଥେଷ୍ଟ ଯୁକ୍ତିଯୁକ୍ତ କାରଣ ନଥିଲେ ବି ବିଭାଗ ତରଫରୁ ଏଥିନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ଏଠାରେ ଶତାଧିକ ଗ୍ରାମର ଲୋକ ମାନଙ୍କୁ ଗମନା ଗମନ ସୁବିଧା ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଗ୍ରାମାଞ୍ଚଳରେ ହେଉଥିବା ଏଭଳି ଉନ୍ନୟନ କାର୍ଯ୍ୟର ସଫଳ ରୂପାୟନ ପାଇଁ ପୂର୍ତ୍ତ ବିଭାଗର ଆନ୍ତରିକତା କମ ଥିବା ବେଳେ ଠିକାଦାରଙ୍କ ସ୍ୱାର୍ଥରକ୍ଷା ପାଇଁ ଅଧିକ ଯତ୍ନବାନ ହୋଇପଡିଛି । ଏଥିପାଇଁ ଚୁକ୍ତି ଖିଲାପ କରି ନିର୍ଦ୍ଧାରିତ ସମୟରେ କାମ ଶେଷ କରିନଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଠିକାଦାରଙ୍କ ପୋଷା ବିଲେଇ ସାଜିଛି ପୂର୍ତ୍ତ ବିଭାଗ ।

ମୁଖ୍ୟମନ୍ତ୍ରୀଙ୍କ ଜନମଙ୍ଗଳ କାର୍ଯ୍ୟ ସଫଳ ରୂପାୟନ କ୍ଷେତ୍ରରେ ପୂତ୍ତ ବିଭାଗ ଯତ୍ନବାନ ହେବାକୁ ସ୍ଥାନୀୟ ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳ ମତ ପ୍ରକାଶ କରିବା ସହ ଏଥିନେଇ ସେ ବିଭାଗୀୟ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।  ଏଥିନେଇ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଉଥିବାରୁ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ପଡିବାକୁ ସାଧାରଣରେ ଦାବି ହେଉଛି । ତେବେ ଏଥିନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାରୁ ସେ କୌଣସି ଉତ୍ତର ଦେଇନଥିଲେ ।

Related Post