Wed. Apr 17th, 2024

ଶ୍ରୀ ଜୟଦେବ ଓ ଓଡ଼ିଆ ସଂସ୍କୃତି: କିଛି ପ୍ରଶ୍ନ

By Kedar Mishra May 10, 2016 #Featured
629 Views

କେଦାର ମିଶ୍ର

ଶ୍ରୀ ଜୟଦେବ ଓଡ଼ିଶାର କବି, ହେଲେ ତାଙ୍କର ଅମରକୃତି ‘ଗୀତ ଗୋବିନ୍ଦ’ ସଂସ୍କୃତ ଭାଷାରେ ରଚିତ । ଏଥିରେ ଅବଶ୍ୟ କୌଣସି ବିବାଦ ନାହିଁ । ‘ଗୀତଗୋବିନ୍ଦ’ରଚନା ବେଳକୁ ହୁଏତ ଓଡ଼ିଆ ସାହିତ୍ୟ ର ବିକାଶ ପ୍ରକ୍ରିୟା ତ୍ବରାନ୍ବିତ  ହୋଇନଥିବ! ତେଣୁ ଦେବ ଭାଷାରେ ଦେବତାଙ୍କର ରତିକେଳି ଚରିତ  ବର୍ଣ୍ଣନା କରିବାକୁ କବି ସମୁଚିତ ମଣିଥିବେ । ସେତେବେଳକୁ କିନ୍ତୁ ପ୍ରାକୃତ ଓ ପାଲି ଜନଗଣର ଭାଷା ରୂପେ ସ୍ୱୀକୃତ ଥିବାବେଳେ ସଂସ୍କୃତ ଥିଲା ଦେବତା ଓ ବ୍ରାହ୍ମଣଙ୍କର ଭାଷା । ବ୍ରାହ୍ମଣ ଜୟଦେବଙ୍କ ଠାରୁ ଆମେ ଅବଶ୍ୟ ପ୍ରାକୃତ କିମ୍ବା ପାଲି କାବ୍ୟ ଖଣ୍ଡେ ଆଶାକରିବା ନିରର୍ଥକ । ତେବେ ସଂସ୍କୃତ ଭାଷାରେ ରଚିତ ଗୀତଗୋବିନ୍ଦ ଆଧାରରେ ହିଁ ଓଡ଼ିଶାର ସଂସ୍କୃତି ଗଢ଼ିଉଠିଛି ବୋଲି ହେଉଥିବା ପ୍ରଚାରର ଯଥାର୍ଥତା ଉପରେ ଆମେ କେତୋଟି ପ୍ରଶ୍ନ ପଚାରିବାକୁ ଚେଷ୍ଟାକରୁଛୁ । ସଂସ୍କୃତ ସାହିତ୍ୟର ସମୃଦ୍ଧ ପରମ୍ପରାରେ କେବଳ ଜୟଦେବ ନୁହନ୍ତି ଓଡ଼ିଶାବାସୀ ବହୁ ସଂସ୍କୃତ କବି ଓ ପଣ୍ଡିତଙ୍କର ଅବଦାନ ଇତିହାସ ସ୍ୱୀକୃତ । ଅଥଚ ସେମାନଙ୍କ ବିଷୟରେ କ୍ୱଚିତ ଆଲୋଚନା ବା ପରିଚର୍ଚ୍ଚା ଶୁଣିବାକୁ ମିଳେ । ସାଂଖ୍ୟ ଦର୍ଶନର ପ୍ରଣେତା କପିଳ ମୁନି, ମହାମୁନି ପିପ୍ପଳାୟନ,ପରମ ବୈୟାକରଣିକ ପାଣିନି, ସୌନ୍ଦର୍ଯ୍ୟ ଶାସ୍ତ୍ରୀ ବିଶ୍ୱନାଥ କବିରାଜ,‘କୋଶଳାନନ୍ଦ’ର ସ୍ରଷ୍ଟା ଗଙ୍ଗାଧର ମିଶ୍ରଙ୍କ ପରି ବହୁ ଓଡ଼ିଶାବାସୀ ସଂସ୍କୃତ କବି-ଲେଖକଙ୍କ ସମ୍ପର୍କରେ ଉଦାସୀନ ଆମର ସାଂସ୍କୃତିକ କର୍ଣ୍ଣଧାରମାନେ ଜୟଦେବଙ୍କ ପ୍ରତି ଏତେ ବେଶୀ ଦୁର୍ବଳ ହେବା ପଛରେ କି କାରଣ ଥାଇପାରେ?

ଓଡ଼ିଆ ସଂସ୍କୃତି ଏବଂ ଓଡ଼ିଆଭାଷାର ସମ୍ପର୍କ-ପିଣ୍ଡ ଓ ପ୍ରାଣର ସମ୍ପର୍କ । ତେଣୁ ଓଡ଼ିଆଭାଷା-ସାହିତ୍ୟକୁ ଆମ ସଂସ୍କୃତିର ଆଧାର ବୋଲି କୁହାଯାଇ ପାରନ୍ତା । କେଜାଣି କାହିଁକି ନିଜସ୍ୱ ସାହିତ୍ୟ ପରମ୍ପରା ପ୍ରତି ଆମେ ଭୀଷଣ ଭାବରେ ଉଦାସୀନ । ଜୟଦେବ ଏବଂ କାଳିଦାସଙ୍କ ପ୍ରସଙ୍ଗରେ ଆମ ସଂସ୍କୃତିର ବଡ଼ପଣ୍ଡାମାନେ ବେଶ୍ ଉତ୍ସାହିତ ଜଣାପଡ଼ୁଥିବାବେଳେ ସାରଳା ଦାସ, ଉପେନ୍ଦ୍ର ଭଞ୍ଜ, ଫକୀର ମୋହନ, ଭୀମ ଭୋଇଙ୍କ ପ୍ରସଙ୍ଗରେ ଆଶ୍ଚର୍ଯ୍ୟ ରୂପେ ଉଦାସୀନ । ଆଦିକବି ସାରଳାଦାସଙ୍କ ସ୍ମୃତି ପ୍ରତି ଆମର ଏତେଟିକେ ବି ସମ୍ମାନବୋଧ ନାହିଁ । ରାଜଧାନୀରେ ଜୟଦେବଙ୍କ ସ୍ମୃତିରେ ଭବନ,ସଡ଼କ ଓ ସ୍ମୃତିସ୍ଥଳର ସଂଖ୍ୟା ବଢ଼ି ଚାଲିଥିବା ବେଳେ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ମହାନାୟକମାନେ ପ୍ରାୟ ଉପେକ୍ଷିତ ଅଥବା ‘ସଲୀଳ ନ ସିଂଚି ଶୁଷ୍କ ଦଣ୍ଡବତ’ରେ ସୀମିତ । ମଜାର କଥା ହେଉଛି ଓଡ଼ିଆ ଚଳଚ୍ଚିତ୍ର ପାଇଁ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାରର ନାମ ମଧ୍ୟ ଜୟଦେବ ପୁରସ୍କାର । ଶ୍ରୀ ଜୟଦେବଙ୍କ  ସହ ଓଡ଼ିଆ ଚଳଚ୍ଚିତ୍ରର ସମ୍ପର୍କ ଯେ କ’ଣ ତାହା ଆମେ ଜମାରୁ ବୁଝିପାରୁ ନାହୁଁ । ଅନ୍ୟ ଦିଗରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ନିର୍ମାଣ କରିବାକୁ ଯାଇ ସର୍ବସ୍ୱାନ୍ତ ହୋଇଯାଇଥିବା ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କର ସ୍ମୃତିପ୍ରତି କାହାର ଧ୍ୟାନନାହିଁ । ଗୋସେଇଁଙ୍କର ପ୍ରତିମୂର୍ତ୍ତିଟିଏ କି ପ୍ରାମାଣିକ ଜୀବନୀଟିଏ ଖୋଜିପାଇବା ଦୁରୂହ ବ୍ୟାପାର । ଜୟଦେବଙ୍କ ଯୋଗ୍ୟ ଉତ୍ତରାଧିକାରୀ ଭାବରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଅତ୍ୟନ୍ତ ଦକ୍ଷତାର ସହ କାର୍ଯ୍ୟକରୁଛି । ବେଳେବେଳେ ତ ଲାଗୁଛି, ଆମ ସଂସ୍କୃତି ଗୀତଗୋବିନ୍ଦର କେଳିକୁଞ୍ଜରୁ ଆରମ୍ଭ ହୋଇ ବସନ୍ତ ରାସରେ ହିଁ ସରିଯାଉଛି ।

 

ଗତ କିଛିବର୍ଷ ଧରି ଓଡ଼ିଶାର କେତେଜଣ ବରିଷ୍ଠ ଅଧିକାରୀ ଶ୍ରୀ ଜୟଦେବଙ୍କୁ ନିଜର ଗୁରୁଭାବେ ଗ୍ରହଣ କରିନେଇଛନ୍ତି । ସେମାନଙ୍କ ମତରେ ‘ଗୀତଗୋବିନ୍ଦ’ ହିଁ ହେଉଛି ଆମ ସଂସ୍କୃତିର ମୂଳକେନ୍ଦ୍ର । ଜୟଦେବଙ୍କ ଜନ୍ମସ୍ଥାନ ଏବଂ ଗୀତଗୋବିନ୍ଦର ରଚନାକାଳକୁ ନେଇ ଗୋଟିଏ ପରେ ଗୋଟିଏ ବିବାଦ ସୃଷ୍ଟି କରିବାରେ ଏମାନେ ପ୍ରମୁଖଭୂମିକା ଗ୍ରହଣ କରିଥାନ୍ତି । ଜୟଦେବ ଓଡ଼ିଶାର କେନ୍ଦୁଲିରେ ଜନ୍ମଗ୍ରହଣ କରିଥିଲେ । ଏଥିରେ ଆମର କୌଣସି ପ୍ରକାର ଆପତ୍ତି କରିବାର ନାହିଁ । ଆଉ କେତେଜଣ ବୁଦ୍ଧଙ୍କୁ ଓଡ଼ିଶାର କପିଳେଶ୍ୱର ଏବଂ କାଳିଦାସଙ୍କୁ ଉମରକୋଟରେ ଜନ୍ମଗ୍ରହଣ କରିଥିଲେ ବୋଲି ପ୍ରଚାର ଚଳାଇଛନ୍ତି । ଏ କ୍ଷେତ୍ରରେ ରାଜ୍ୟ ରାଜକୋଷରୁ ପ୍ରଦ୍ଭୁତ ଅର୍ଥ ବ୍ୟୟ କରାଯାଇଛି । ତାହା ହିଁ ଆମ ମୁଣ୍ଡବିନ୍ଧାର କାରଣ । ରାଜ୍ୟବାସୀଙ୍କ ଝାଳବୁହା ଧନରେ ବ୍ୟକ୍ତିଗତ ଆଦର୍ଶ ଓ ବ୍ରାହ୍ମଣୀୟ ବିଚାରଧାରାର ପ୍ରସାର ପାଇଁ ଉଦ୍ୟମ ଏକ ଗଣତାନ୍ତ୍ରିକ ରାଜ୍ୟରେ କେତେଦୂର ଯୁକ୍ତିଯୁକ୍ତ ତାହା ଆମେ ବିଚାର କରି ନଥାଉ ।  ଯେଉଁ ରାଜ୍ୟରେ ଜନଜାତି ଓ ଦଳିତଙ୍କ ସଂଖ୍ୟା ପ୍ରାୟ ପଚାଶଭାଗ ସେଠାରେ ସଂସ୍କୃତର ଦେବତ୍ୱକୁ ସଂସ୍କୃତିର ଆଧାର ମନେକରିବା ଆଶ୍ଚର୍ଯ୍ୟ ଜନକ । ଏ ଜାତିର ସଂସ୍କୃତି କେନ୍ଦ୍ର ଶ୍ରୀମନ୍ଦିରର ସେବା ପରମ୍ପରାରେ ଆଦିବାସୀ ଓ ତନ୍ତ୍ର ଉପାଦାନ ତ ଯଥେଷ୍ଟ! ତଥାପି ସେ ବିଷୟରେ ଆମର ପରିଚର୍ଚ୍ଚା ସୀମିତ । ଦାରୁ ଦେବତାରୁ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥଙ୍କର ବିବର୍ତ୍ତନ ପ୍ରକ୍ରିୟାରେ ଶବର ଓ ଦଳିତଙ୍କୁ ଅଣଦେଖା  କରିବାର ସାମନ୍ତ-ବ୍ରାହ୍ମଣବାଦୀ ମାନସିକତା ବିଷୟରେ ଆମେ ଆଲୋଚନାକୁ ଆଡ଼େଇ ଯାଉ । ଫଳରେ ସଂଖ୍ୟାଲଘୁ ବୌଦ୍ଧିକ ପୁଞ୍ଜିପତିଙ୍କ ଦ୍ୱାରା ନିର୍ଦ୍ଧାରିତ ମାନକରେ  ଆମ ସଂସ୍କତୃିର ମୂଲ୍ୟାୟନ କରାଯାଏ । ଗୀତଗୋବିନ୍ଦ ତାର ଏକ ପ୍ରକୃଷ୍ଟ ଉଦାହରଣ । ଓଡ଼ିଆଭାଷା ଯେହେତୁ ଲୋକ ସାଧାରଣର ଭାଷା, ତେଣୁ ସେଥିରେ ଦେବତ୍ୱ ବା ଦିବ୍ୟତ୍ୱର ସନ୍ଧାନମିଳିବା କଷ୍ଟକର ବୋଲି ଆମର ବ୍ରାହ୍ମଣୀ ମାନସିକତା ଧରିନେଇଥାଏ । ରାଧାକୃଷ୍ଣଙ୍କ ରାସଲୀଳାରେ ଦୈହିକ ଅପେକ୍ଷା ଅପ୍ରାକୃତ ପ୍ରେମର ସଂଙ୍କେତ ଖୋଜି ଖୋଜି ଆମେ ଗୋଟିଏ ଜାତିର ଜୀବନ୍ତ-ମୁକ୍ତ-ସସ୍କୃତିକୁ ଉପେକ୍ଷା କରିଥାଉ । ସେଇ ଉପେକ୍ଷାର ଶିକାର ଶୁଦ୍ର ସାରଳାଙ୍କଠୁ ଆରମ୍ଭ କରି କନ୍ଧ ଭୀମଭୋଇ । ଏକ ଅଦଭୂତ ସାଂସ୍କୃତିକ ଧାରଣା ଆମ ସମସ୍ତଙ୍କୁ କବଳିତ କରିରଖିଛି ।

ସଂସ୍କୃତିର ବ୍ରାହ୍ମଣୀକରଣ ବା ସଂସ୍କୃତକରଣର  ଏକ ଲମ୍ବା ଇତିହାସ ଆମର ରହିଛି । ଶବର ଦେବତା ଶ୍ରୀ ଜଗନ୍ନାଥଙ୍କୁ ପୁରୁଷୋତ୍ତମ ଜଗନ୍ନାଥ ଭାବରେ କିପରି ଭାବରେ ପ୍ରତିଷ୍ଠିତ କରାଗଲା, ତାହାର ନୃତାତ୍ତ୍ୱିକ ଗବେଷଣା ଏବେ ଅବଶ୍ୟ କିଛିକିଛି ହେଲାଣି । ଶ୍ରୀ ଜଗନ୍ନାଥଙ୍କ ପୂଜା ଓ ସେବା କ୍ଷେତ୍ରରେ ତନ୍ତ୍ର ଏବଂ ଅଦିବାସୀ ଜୀବନଚର୍ଯ୍ୟାର ପ୍ରୟୋଗ ବିଷୟରେ ବହୁ ଗବେଷକ ନିଜନିଜ ମତ ଉପସ୍ଥାପନ କଲେଣି । ଦୁର୍ଭାଗ୍ୟ କ୍ରମେ ଆମର ଅମଲା ଅଧିକାରୀମାନେ ଇତିହାସରେ ରୁଚି ରଖନ୍ତି ଓ ଇତିହାସକୁ ନିଜ ଇଚ୍ଛା ଅନୁସାରେ ଲେଖିବାର ସାହସ ମଧ୍ୟ କରନ୍ତି । ରାଜ୍ୟର ସମସ୍ତ ଗବେଷଣା କ୍ଷେତ୍ରରେ ଏବଂ ଇତିହାସ ସମ୍ପର୍କିତ ଅନୁଷ୍ଠାନରେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କର ପ୍ରଭାବ ବେଶ୍ ପରିଲକ୍ଷିତ ହୋଇଥାଏ । ସମନ୍ୱୟ ଓ ସଂଘାତର ଇତିହାସରେ ଆମେ ଏହାର ରାଶି ରାଶି ଉଦାହରଣ ଦେଖିବାକୁ ପାଇବା । ଓଡ଼ିଶାର ଆଧୁନିକ ଇତିହାସରେ ସରକାରୀ ପୃଷ୍ଠପୋଷକତାରେ ସଂସ୍କୃତିର ବ୍ରାହ୍ମଣୀକରଣ, ଗବେଷଣା ପାଇଁ ଏକ ନୂଆ ଉପାଦାନ ନିଶ୍ଚୟ । ନିଜସ୍ୱ ସଂସ୍କୃତିର ମୌଳିକ ଉପାଦାନମାନଙ୍କୁ ଉପେକ୍ଷା କରି ଏବଂ ବହୁଜନର ଜୀବନବୋଧକୁ ସଂସ୍କୃତିର ପରିମଣ୍ଡଳରୁ ବାଦ୍ଦେଇ ଆମେ କାହାପାଇଁ ଉପକାର କରୁଛୁ? ଓଡ଼ିଆ ସଂସ୍କୃତିର ବ୍ୟାପକ ମାନବବୋଧ ଭିତରେ ସଂସ୍କୃତ ଓ ବ୍ରାହ୍ମଣଙ୍କର ଅବଦାନ କେତେ-ତାହାର ଏକ ନିରପେକ୍ଷ ଆକଳନ ପ୍ରସ୍ତୁତ କରିବାକୁ ହେବ । ନଚେତ୍ ବହୁଜନର ଜୀବନ ଓ ସଂସ୍କୃତି କ୍ରମଶଃ ଅକାଳ ମୃତ୍ୟୁ ବରଣ କରିବ ।

By Kedar Mishra

Kedar Mishra is the Editor of AMFNews.com.

Related Post