Thu. Apr 18th, 2024

ଲୋକାର୍ପିତ ହେଲା ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କ ପୁସ୍ତକ “ଅସତୀ” ଓ “ଶ୍ରୀ ଲଛମନ ଉବାଚ”

By amfnews Apr 25, 2018 #Featured
212 Views

ରାଜ୍ୟର ଅନ୍ୟତମ ସମ୍ବାଦ ସରବରାହ ସଂସ୍ଥା ଆସୋସିଏଟେଡ୍ ମିଡିଆ ଫାଉଣ୍ଡେସନ୍ (ଏଏମ୍ଏଫ୍) ପକ୍ଷରୁ ଏପ୍ରିଲ ୨୩ ତାରିଖ ସୋମବାର ଦିନ ଓଡିଶା ପ୍ରେସ୍ କ୍ଲବ ଠାରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକଙ୍କ ଦ୍ୱାରା ଲିଖିତ ଉପନ୍ୟାସ “ଅସତୀ” ଓ ବ୍ୟଙ୍ଗ ଗଳ୍ପ ସଙ୍କଳନ “ଶ୍ରୀ ଲଛମନ ଉବାଚ”ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଅଭିନେତା, ନିର୍ଦ୍ଦେଶକ ତଥା ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ, କବି ଡକ୍ଟର ରାଜେନ୍ଦ୍ର କିଶୋର ପଣ୍ଡା, ବିଶିଷ୍ଟ ଗୀତିକାର ଓ ଗାଳ୍ପିକ ତଥା ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୂଳପତି ଦେବଦାସ ଛୋଟରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ତଥା ବିଶିଷ୍ଟ ଗାଳ୍ପିକ ଶ୍ରୀ ଜ୍ୟୋତି ନନ୍ଦ ପୁସ୍ତକ ଦୁଇଟିର ସମୀକ୍ଷା କରିଥିଲେ ।
କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଉଭୟ ପୁସ୍ତକ ଉପରେ ନିଜ ନିଜର ମତ ରଖିଥିଲେ । ପୁସ୍ତକ ଦୁଇଟି ଖୁବ୍ ସୁନ୍ଦର ହେବା ସହ ଅସତୀ ଉପନ୍ୟାସରେ ଏକ ନାରୀ ଚରିତ୍ରକୁ ଅତ୍ୟନ୍ତ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି । ଏହାସହ ଶ୍ରୀ ଲଛମନ ଉବାଚ ପୁସ୍ତକଟି ବ୍ୟଙ୍ଗ ରଚନାକୁ ସାର୍ଥକ କରିଛି ବୋଲି ଅତିଥିମାନେ କହିଥିଲେ ।
ସମ୍ମାନିତ ଅତିଥି ପ୍ରଶାନ୍ତ ନନ୍ଦ ନିଜ ଭାଷଣରେ ଆଜିକାଲି ପୁସ୍ତକ ପ୍ରତି ଲୋକଙ୍କ ଆଗ୍ରହ କମୁଥିବାର ମଧ୍ୟ କହିଥିଲେ । କିଛି ଅବ୍ୟବସ୍ଥା ପାଇଁ ବର୍ତ୍ତମାନ ସମୟରେ ପ୍ରକାଶ ପାଉଥିବା ପୁସ୍ତକଗୁଡିକ ଲୋକଙ୍କ ପାଖରେ ପହଞ୍ଚିପାରୁନି, ତେଣୁ ଏ ବ୍ୟବସ୍ଥାରେ ଆମକୁ ପରିବର୍ତ୍ତନ ଆଣିବା ଦରକାର ବୋଲି କହିଥିଲେ ଶ୍ରୀ ପ୍ରଶାନ୍ତ ନନ୍ଦ । ସେହିପରି ସମ୍ମାନିତ ଅତିଥି ଶ୍ରୀ ଦେବଦାସ ଛୋଟରାୟ ନିଜ ଭାଷଣରେ ଲେଖକ ଶ୍ରୀ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଲେଖକ ତଥା ସାମ୍ବାଦିକ ପ୍ରଶାନ୍ତ ପଟ୍ଟନାୟକ କହିଥିଲେ କି “ଅସତୀ” ପୁସ୍ତକଟିକୁ ମୁଁ ୨୧ ବର୍ଷ ବୟସରେ ଲେଖିଥିଲି, ଏବେ ତାହାକୁ ପୁନଶ୍ଚ ଲୋକାର୍ପଣ କରିବା ମୋ ପାଇଁ ନିଶ୍ଚୟ ଆନନ୍ଦର କଥା । ସମ୍ପ୍ରତି ମୋତେ ୭୭ ବର୍ଷ ହୋଇଥିବା ବେଳେ ଏହାର ପୁର୍ନମୂଦ୍ରଣ କରାଯାଇ ମୂଲ୍ୟାୟନ କରିବା ନିମନ୍ତେ ପ୍ରଚେଷ୍ଟା ହେବାର ଯର୍ଥାଥତା ପାଠକ ପାଠିକା ଓ ସମାଲୋଚକମାନେ ବିଚାର କରିବେ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।
ସାଧାରଣତଃ ଅଧିକାଂଶ ପୁସ୍ତକ ଲୋକାର୍ପଣ କାର୍ଯ୍ୟକ୍ରମରେ ପୁସ୍ତକ ପ୍ରକାଶନରେ ସହାୟତା ଓ ସହଯୋଗ କରିଥିବା ବ୍ୟକ୍ତିମାନଙ୍କୁ ଲୋକଲୋଚନକୁ ଆଣିବା ଦିଗରେ କୁଣ୍ଠା ପ୍ରକାଶ ପାଇଥାଏ । ମାତ୍ର ଆଲୋଚିତ ପୁସ୍ତକ ଦୁଇଟି ପ୍ରକାଶନରେ ସହଯୋଗ କରିଥିବା ପ୍ରତ୍ୟେକଙ୍କୁ ସମ୍ମାନର ସହ ପରିଚିତ କରାଇବା ପାଇଁ ରାଜ୍ୟର ବରିଷ୍ଠ ଫଟୋଗ୍ରାଫର୍ ପ୍ରଫୁଲ୍ଲ ଚନ୍ଦ୍ର ଧୀର୍ ଓ କାର୍ଟୁନିଷ୍ଟ କମଳାକାନ୍ତ ରଥଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଉଭୟ ପୁସ୍ତକ ପ୍ରକାଶରେ ସାହାଯ୍ୟ କରିଥିବା ଶୁଭଶ୍ରୀ ଏବଂ ସାଗରିକାଙ୍କୁ ଶ୍ରୀ ପଟ୍ଟନାୟକ ପୁରସ୍କୃତ କରିଥିଲେ । କମଳାକାନ୍ତ ଶ୍ରୀ ଲଛମନ ଉବାଚ ପୁସ୍ତକର ପ୍ରଚ୍ଛଦ ଚିତ୍ର ଅଙ୍କନ କରିବା ସହ ପୁସ୍ତକରେ ସନ୍ନିବେଶିତ ରେଖା ଚିତ୍ରଗୁଡିକ ମଧ୍ୟ ଆଙ୍କିଥିଲେ । କବି, ସଂସ୍କୃତି ସମୀକ୍ଷକ ତଥା ସାମ୍ବାଦିକ କେଦାର ମିଶ୍ରଙ୍କ ସଂଯୋଜନାରେ ଏହି ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା ।
ଏଏମ୍ଏଫ୍ ତରଫରୁ ରଶ୍ମିରେଖା ପଟ୍ଟନାୟକ ରାଜ୍ୟ ତଥା ଜାତୀୟ ଗଣମାଧ୍ୟମଗୁଡିକ ପାଇଁ ଏଏମ୍ଏଫ୍ର ଅବଦାନ ସମ୍ପର୍କରେ ତାଙ୍କ ସ୍ୱାଗତ ଭାଷଣରେ ସୂଚନା ଦେଇଥିଲେ । ଏଏମ୍ଏଫ୍ର ସମ୍ପାଦିକା ଶ୍ରୀମତୀ ପୁଷ୍ପଜା ଧଳ ପଟ୍ଟନାୟକ ଉପସ୍ଥିତ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

By amfnews

Related Post