Thu. Mar 28th, 2024

ଯାଜପୁର: ସଡକ ସୁରକ୍ଷା ପ୍ରହସନ: ବଢୁଛି ଦୁର୍ଘଟଣା

By amfnews Jun 12, 2018 #Featured
141 Views

ଯାଜପୁର,୧୨/୦୬(ସ୍ୱ.ପ୍ର): ଯାଜପୁର ଜିଲ୍ଲାରେ ସଡକ ସୁରକ୍ଷା ନାମରେ ଚାଲିଛି ବ୍ୟାପକ ପ୍ରହସନ । କେବଳ ଗଣମାଧ୍ୟମରେ ପ୍ରଚାର ପାଇଁ ଯେତେ ସବୁ ସଡକ ସୁରକ୍ଷା କାର୍ଯ୍ୟକ୍ରମ ଚାଲିଛି । ସେହିପରି ସଡକ ସୁରକ୍ଷା ନିୟମକୁ ଭାଙ୍ଗୁଥିବା ଲୋକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଲୋକଦେଖାଣିଆ ଭାବେ ଚାଲିଛି । ଏହି ଚଢାଉ କେବଳ ହେଲମେଟ ଚେକିଂ ଉପରେ ସୀମିତ । ହେଲେ ବେପରୁଆ ଗାଡି ଚାଳନା ଏବଂ ମଦ୍ୟପ ଚାଳକଙ୍କ ପାଇଁ ରାସ୍ତାରେ ଘଟୁଥିବା ମର୍ମୁଦନ୍ତ ସଡକ ଦୁର୍ଘଟଣା ରୋକିବାକୁ ପୋଲିସ ଓ ପ୍ରଶାସନ ଆଦୌ ଆଗ୍ରହ ଦେଖାଉନାହିଁ ।

ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ନିକଟରେ ଥିବା ଖୋସାଲିପୁର ପୋଲ ତଳକୁ ଏକ ଟ୍ରକ ମଙ୍ଗଳବାର ଖସିପଡିଛି । ଟ୍ରକଟି ଅନ୍ୟ ଏକ ଟ୍ରକ ସହ ଧକ୍କା ହେବା ପରେ ରାସ୍ତା ତଳକୁ ଖସିଛି । ଏହି ପୋଲର ଅବସ୍ଥା ଖରାପ ଥିବାରୁ ଏଠାରେ ଯେ କୌଣସି ଗାଡି ଧୀରେ ଯିବାକଥା । ହେଲେ ବେପରୁଆ ଏବଂ ମଦ୍ୟପ ଅବସ୍ଥାରେ ଗାଡି ଚାଳନା ପାଇଁ ଏଭଳି ଏକ ଦୁର୍ଘଟଣା ଘଟିଲା । ଏହି ଦୁର୍ଘଟଣା ଫଳରେ ପୋଲର ବାଡା ଭାଙ୍ଗି ଗୋଟିଏ ଟ୍ରକ ପ୍ରାୟ ୫୦ ଫୁଟ ତଳକୁ ଖସିଛି । ତେବେ ସୌଭାଗ୍ୟକୁ ଏହି ସମୟରେ ପୋଲ ତଳେ ଯାଇଥିବା ରାସ୍ତାରେ କେହି ନଥିବାର କୌଣସି ବଡ ଧରଣର ଜୀବନ କ୍ଷତି ହୋଇନଥିଲା ।

ଏଠାରେ ଚଣ୍ଡୀଖୋଲରେ ଏକ ଟ୍ରାଫିକଥାନା ଥିଲେ ମଧ୍ୟ ଛକରେ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା କର୍ମଚାରୀଙ୍କ ବ୍ୟତୀତ ଥାନାରେ ଥିବା ଅନ୍ୟ କର୍ମଚାରୀ ଓ ଅଧିକାରୀ ଟ୍ରାଫିକ ବ୍ୟବସ୍ଥା ପ୍ରତି ଆଦୌ ଯତ୍ନବାନ ହେଉନାହାନ୍ତି । ଏହି ଅଧିକାରୀ ଅନେକ ଦିନ ଧରି କାର୍ଯ୍ୟକ୍ଷେତ୍ରରେ ଅନୁପସ୍ଥିତ ରହୁଥିବା ବେଳେ ସଡକ ଦୁର୍ଘଟଣାର ମୂଳ କାରଣ ବେପରୁଆ ଗାଡି ଚାଳନା ଏବଂ ମଦ୍ୟପ ଚାଳକଙ୍କୁ ଧରିବା ଏବଂ ନିୟମ ଅନୁସାରେ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଏଥିପାଇଁ ଜାତୀୟ ରାଜପଥରେ ବାରମ୍ବାର ଏବଂ ଦୈନିକ ବହୁ ଦୁର୍ଘଟଣା ଘଟି ଧନଜୀବନ କ୍ଷତି ହେଉଛି । ହେଲେ ହେଲମେଟ ନପନ୍ଧିଥିବା ଲୋକଟିଏ ଦୁର୍ଘଟଣା ଗ୍ରସ୍ତ ହେଲେ କେବଳ ଉକ୍ତ ବ୍ୟକ୍ତିଙ୍କ କ୍ଷତି ହେଉଥିବା ବେଳେ ବେପରୁଆ ଏବଂ ମଦ୍ୟପ ଗାଡି ଚଳକଙ୍କ ପାଇଁ ବହୁ ନିରୀହ ପ୍ରାଣ ହରାଉଛନ୍ତି । କାଣୀ ବିଲେଇ କୁଜି ଅସରପା ଉପରେ ରଜା ହେବା ପରି କେବଳ ହେଲମେଟ ଚେକିଂକୁ ପୋଲିସ ଗୁରୁତ୍ୱ ଦେଉଥିବା ବେଳେ ଦୁର୍ଘଟଣାର ମୁଖ୍ୟ କାରଣ ନେଇ ଚେଇଁ ଶୋଇଛି । ଏଥିନେଇ ଯାଜପୁର ଜିଲ୍ଲା ସଡକ ସୁରକ୍ଷା ବୈଠକରେ କମିଟିର ବରିଷ୍ଠ ସଭ୍ୟ ସତୀଶ ବିଶ୍ୱାଳ ବାରମ୍ବାର ଉଦବେଗ ପ୍ରକାଶ କରିଛନ୍ତି । ଏଥିନେଇ ଆବଶ୍ୟକ ଠେସ ପଦକ୍ଷେପ ସହ ଚଢାଉ କରାଯାଇ ସଂପୃକ୍ତ ମଦ୍ୟପ ତଥା ବେପରୁଆ ଗାଡି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଯାଜପୁର ଜିଲ୍ଲାପାଳଙ୍କ ପ୍ରତିଶୃତି ଆଦୌ କାର୍ଯ୍ୟକାରୀ ହେଉନାହିଁ ।


ରିପୋର୍ଟ ଏବଂ ଫଟୋ- ମାନସ ରଂଜନ ବିଶ୍ୱାଳ, amfnews.com

 

 

 

 

 

 

By amfnews

Related Post