Wed. Apr 24th, 2024

ଯାଜପୁର ପୂର୍ତ ବିଭାଗ କେଳେଙ୍କାରୀ, ଚେର ଲମ୍ବିଛି ପାତାଳକୁ: ଭିଜିଲାନ୍ସ ତଦନ୍ତ ଦାବି

manasranjanbiswal07@gmail.com' By Manas Ranjan Biswal Jun 23, 2018 #Featured
214 Views

ଯାଜପୁର,୨୦/୬: ଯାଜପୁର ଜିଲ୍ଲାର ପାଣିକୋଇଲି ପୂର୍ତ ବିଭାଗ ଡିଭିଜନରେ ପାଂଚବର୍ଷରେ ପାଖାପାଖି ଦେଢଶହ କୋଟି ଟଙ୍କାର ଦୁର୍ନିତି ହୋଇଛି । ଗତ ୫ ବର୍ଷରେ ହଜାରେ କି ଦୁଇ ହଜାର ନୁହେଁ ପ୍ରାୟ ୭ ହଜାର ଏଫ-୨ ଜରିଆରେ କରାଯାଇଛି ଗୁପ୍ତ ଟେଣ୍ଡର । ଏ ବାବଦରେ କୋଟି କୋଟି ଟଙ୍କାର ଅର୍ଥକୁ କେବଳ କାଗଜ କଲମରେ କାମ ହେଇଥିବାର ଦର୍ଶାଇ ହରିଲୁଟ କରାଯାଇଛି । ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଥିବା ନବୀନ ପଟ୍ଟନାୟକଙ୍କ ସରକାରରେ ଏଥିନେଇ ଠିକଣା ପଦକ୍ଷେପ ଗ୍ରହଣ କରାନଯିବା ଅନ୍ତରାଳରେ ଏହି ଦୁର୍ନିତିର ଚେର ପାତାଳକୁ ଲମ୍ବିଥିବାର ଜଣାପଡିଛି ।

ପ୍ରଭାବଶାଳୀ କ୍ଷମତାସୀନ ରାଜନେତା ଏବଂ ବିଭାଗୀୟ ସର୍ବୋଚ୍ଚ ଅଧିକାରୀଙ୍କ ସଂପୃକ୍ତିରେ ଏଭଳି ହରିଲୁଟ ଖୋଲାଖୋଲି ଚାଲିଥିବାରୁ ଏଥିନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ବବ ନୁହେଁ ବୋଲି ବିଭାଗୀୟ ଅଧିକାରୀମାନେ ଦମ୍ବୋକ୍ତି ପ୍ରକାଶ କରୁଛନ୍ତି । ତେବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏଭଳି ଦମ୍ବୋକ୍ତିର ସତ୍ୟତାକୁ ଅଧିକ ବଳବତର କରୁଛି । ବର୍ଷକ ମଧ୍ୟରେ ୫୬୧ ଗୁପ୍ତ ଟେଣ୍ଡର, ୫ ବର୍ଷରେ ଶହେ କୋଟି ଚଳୁ ନେଇ ଏକ ତଥ୍ୟ ଭିତିକ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ନିର୍ଦ୍ଦେଶ ଅନୁସାରେ ବିଭାଗୀୟ ଅଣ୍ଡର ସେକ୍ରେଟାରୀ ପତ୍ର ନଂବର ୫୬୫୯ ତା୧୭.୪.୧୮ ମୁଖ୍ୟଯନ୍ତ୍ରୀ ଡିପିଆଇ ଆଣ୍ଡ ରୋଡ୍ସଙ୍କୁ ପ୍ରଦାନ କରିଥିଲେ ।

ହେଲେ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇ ଅଭିଯୋଗକୁ ଚାପି ଦିଆଯାଇଛି । ଅନେକ କ୍ଷେତ୍ରରେ ଏଭଳି ଦୁର୍ନିତି ନେଇ କେବଳ ଆଇନକୁ ଆଖିଠାର ମାରିବା ପାଇଁ  ଢେଙ୍କାନାଳ ଏସ.ଇ ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇ ବିଭାଗ ଚୁପ ହୋଇଯାଉଥିବା ବେଳେ ଏଥିନେଇ କୌଣସି ଫଲୋଅଫ କରାଯାଉ ନାହିଁ । ଏଥିପାଇଁ ଏଭଳି ଦୁର୍ନିତି ନେଇ ଭିଜିଲାନ୍ସ ତଦନ୍ତ କରାଯଯିବାକୁ ଦାବି କରାଯାଉଛି । ଚାରବାଟିଆ ଡିଭିଜନ ଅନ୍ତର୍ଗତ ବଡଚଣା ଏସ.ଡି.ଓଙ୍କ ଦ୍ୱାରା ବ୍ୟାପକ ହରିଲୁଟ ନେଇ ବହୁ ପ୍ରମାଣଯୋଗ୍ୟ ଅଭିଯୋଗ ନେଇ ବଡଚଣା ଢେଙ୍କାନାଳ ଏସ.ଇଙ୍କୁ ତଦନ୍ତ ଦାୟୀତ୍ୱ ପ୍ରଦାନ କରାଯାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ।

କେତେକ ପ୍ରଭାବଶାଳୀ ରାଜନେତା ଏବଂ ପ୍ରଶାସକଙ୍କ ସମ୍ପର୍କିୀୟ ଅଧିକାରୀ ଓ ଠିକାଦାରଙ୍କ ରାଜୁତିରେ ଏହି ଡିଭିଜନ ଏକ ପ୍ରକାର ଦୁର୍ନିତିର ଗନ୍ତାଘର ପାଲଟିଥିବା ବେଳେ ସେମାନେ ବଧ୍ୟ ବହୁକୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତି ଠୁଳ କରିଛନ୍ତି । ଏଥିନେଇ ମଧ୍ୟ ବଡ ଧରଣର ପ୍ରମାଣଯୋଗ୍ୟ ଅଭିଯୋଗ କରାଯିବାକୁ ପ୍ରସ୍ତୁତି ଚାଲିଥିବାର ବିଶ୍ୱସ୍ଥ ସୁତ୍ରରୁ ପ୍ରକାଶ ।

ଗତ ୫ ବର୍ଷ ମଧ୍ୟରେ ପାଣିକୋଇଲି ଡିଭିଜନର ୪ ଟି ସବଡିଭିଜନର ୭ ହଜାରରୁ ଉଦ୍ଧ୍ୱର୍ ଗୁପ୍ତ  ଟେଣ୍ଡର ହୋଇଛି । କେବଳ ଫଲ୍ସ ବିଲ କରି ଅର୍ଥ ହଡପ ପାଇଁ ଖୋଲା ଟେଣ୍ଡର ନକରି ବଡ ବଡ କାମକୁ ଭାଗ ଭାଗ କରାଯାଇ ୫ ଲକ୍ଷ ଟଙ୍କାରେ କିମ୍ବା ଏହାଠାରୁ କମ ମୁଲ୍ୟରେ ହଜାର ହଜାର ଏଫ-୨, ଓପି-୧ ନାମରେ ଗୁପ୍ତ ଟେଣ୍ଡର କରାଯାଇଛି । ଗୁପ୍ତ ଟେଣ୍ଡର ପଞ୍ଜାରୁ ଜିଲ୍ଲାପାଳଙ୍କ ବାସଭବନ ନିର୍ମାଣ କାର୍ଯ୍ୟ ବି ବାଦ ପଡିନି । ଗୋଟିଏ ଗୋଟିଏ ରାସ୍ତା ଏବଂ ସରକାରୀ କୋଠା ପାଇଁ ସମାନ ଦିନରେ ଅନେକ ଗୁପ୍ତ ଟେଣ୍ଡର କରାଯାଇ କାମକୁ ଭାଗ ଭାଗ କରାଯାଇଛି ।

୨୦୧୭/୧୮ ବର୍ଷରେ ୧୦୫୫, ୨୦୧୬/୧୭  ବର୍ଷରେ ୬୦୯, ୨୦୧୫/୧୬ ବର୍ଷରେ ୫୮୮, ୨୦୧୪/୧୫ ବର୍ଷରେ ୩୨୦୩, ୨୦୧୩/୧୪ ବର୍ଷରେ ୨୧୪୩ ଗୁପ୍ତ ଟେଣ୍ଡର ହୋଇଛି । ଧର୍ମଶାଳା-କବାଟବନ୍ଧ ରାସ୍ତାରେ ଗତ ୧୦ ବର୍ଷ ମଧ୍ୟରେ ବହୁକୋଟି ଟଙ୍କାର ଦୁର୍ନିତି ହୋଇଥିବା ବେଳେ ୨୦୧୭/୧୮ ବର୍ଷରେ ୧୭ ଟି ଗୁପ୍ତ ଟେଣ୍ଡର କରାଯାଇ ୮୦ ଲକ୍ଷ ଟଙ୍କା କାମ କରାଯାଇଥିବାର ଦର୍ଶାଯାଇଛି । ଏହି ରାସ୍ତାର ଅବସ୍ଥା ଭଲ ଥିବା ବେଳେ ବାରମ୍ବାର ରାସ୍ତାକୁ ଭଙ୍ଗା ଯାଇ ସରକାରୀ ଅର୍ଥର ଦୁରୁପଯୋଗ କରାଯାଇ କିଛି ଅଂଶରେ କାମ କରାଯାଉ ଥିବା ବେଳେ ୮୦ ଭାଗ ଅର୍ଥ ଫଳ୍ସ ବିଲ କରାଯାଉଛି ।

ସେହିପରି ବଡଚଣା ବ୍ଲକ ଅନ୍ତର୍ଗତ ବରୁହାଁ – ବାଲିଚନ୍ଦ୍ରପୁର ରାସ୍ତା ମରାମତି ଆଳରେ ୮ ଟି ଗୁପ୍ତ ଟେଣ୍ଡର କରାଯାଇ ୩୫ ଲକ୍ଷ ଟଙ୍କା, ସୁକିନ୍ଦା-ହାତିବାରୀ ରାସ୍ତାରେ ୧୬ ଟି ଗୁପ୍ତ ଟେଣ୍ଡରରେ ୭୫ ଲକ୍ଷ ଟଙ୍କା, ବିଂଝାରପୁର-ସିଂହପୁର ରାସ୍ତାରେ ୧୭ ଟି ଗୁପ୍ତ ଟେଣ୍ଡରରେ  ୮୦ ଲକ୍ଷ ଟଙ୍କା କେଳେଙ୍କାରୀ କରାଯାଇଛି । ଡି.ଆର.ଡି.ଏ ପରିସରରେ ନୂତନଭାବେ ନିର୍ମିତ ସ୍କିଲ ଡେଭଲପମେଂଟ ଟ୍ରେନିଂ ସେଂଟର ୪୦ ଲକ୍ଷ ଟଙ୍କାର କାମକୁ ବି ଖୋଲା ଟେଣ୍ଡର କରାନଯାଇ ୯ ଟି ଗୁପ୍ତ ଟେଣ୍ଡର ଜରିଆରେ କରାଯାଇଛି । ଜିଲ୍ଲାପାଳଙ୍କ ବାସଭବନ ୯ ଲକ୍ଷ ଟଙ୍କାର କାମକୁ ତିନୋଟି ଗୁପ୍ତ ଟେଣ୍ଡର ଜରିଆରେ କରାଯାଇଛି ।

ସାଧାରଣ ଜନତାଙ୍କ ଉପରେ ଏଭଳି ଦୁର୍ନିତି ନେଇ ସରକାର ବିରୋଧରେ ନକାରାତ୍ମକ ଧାରଣା ସୃଷ୍ଟି କରୁଥିଲେ ବି ମାଲେମାଲ ହେଉଥିବା ଠିକାଦାର, ଅଫିସର ଓ କ୍ଷମତାସୀନଙ୍କ ଗଠବନ୍ଧନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱଚ୍ଛତା ସ୍ଳେଗାନ ଭେଦ କରିପାରୁ ନାହିଁ ।

Related Post