Fri. Mar 29th, 2024

ମାସକୁ ଲୁଟ ହେଉଛି ୧୨୦ କୋଟି ଟଙ୍କାର କଳାପଥର: ଧର୍ମଶାଳାର ଡଙ୍କାରୀରେ ରାବଣରାଜ

By amfnews Jul 9, 2018 #Featured
294 Views

ଯାଜପୁର,୯/୭: ଆଶ୍ଚର୍ଯ୍ୟ ହେଲେ ବି ସତ । ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡରେ ଚାଲିଛି ରାବଣରାଜ । କେବଳ ଏହି ଗୋଟିଏ ପାହାଡରୁ ମାସକୁ ଲୁଟ ହେଉଛି ୧୨୦ କୋଟି ଟଙ୍କାର କଳାପଥର । ସରକାର ଏ ବାବଦରେ ବହୁକୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ହେଲେ ରକ୍ଷକ ବେଶରେ ଭକ୍ଷକ ସାଜି ବସିଥିବା ଅଧିକାରୀଙ୍କ ପାଇଁ ବେଧଡକ ଚାଲିଛି ଏହି କାରବାର । ଏପରିକି ଏହି ପାହାଡରୁ ସାଟେଲାଇଟ ମାଧ୍ୟମରେ ପଥର ଉତ୍ତୋଳନ ଦୃଶ୍ୟକୁ ରେକର୍ଡ କରାଯିବା ପ୍ରକିୟାକୁ ବି ନାଲିଫିତା ତଳେ ମାଡି ବସିଛି ପ୍ରଶାସନ ।

ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରେ ହୋଇଥିବା ଅଭିଯୋଗକୁ ଭିତ୍ତି କରି ବାରମ୍ବାର ଆସିଥିବା ତଦନ୍ତ ନିର୍ଦ୍ଦେଶକୁ ବି ଫୁ କରି ଉଡାଇ ଦେଇଛି ଦୁର୍ନିତିଖୋର ପ୍ରଶାସନ । ଆଙ୍ଗୁଠି ଗଣତି କେଇଜଣ ପଥର ମାଫିଆ ଓ ପ୍ରଶାସକଙ୍କ ସ୍ୱାର୍ଥରକ୍ଷା ପାଇଁ ଏହା ଏବେ ସରକାର ବିରୋଧରେ ବଡ ଜନଅସନ୍ତୋଷର କାରଣ ହୋଇଛି ।

ଖବରରୁ ପ୍ରକାଶ, ଏଠାରେ ଖଣି ସୁରକ୍ଷା ଆଇନର ସମସ୍ତ ବିଧି ବ୍ୟବସ୍ଥାକୁ ଉଲଂଘନ କରାଯାଇ ପାହାଡ ଉପରେ ସମୁଦ୍ର ଭଳି ଗାତ କରାଯାଇ ପଥର ଉତ୍ତୋଳନ କରାଯାଉଛି । ଏହି ବେଆଇନ ୱାଗନହୋଲ ବ୍ଲାଷ୍ଟିଂ ପାଇଁ ପ୍ରଚୁର ପରିମାଣର ପଥର ଉତ୍ତୋଳନ ହେଉଥିବାରୁ ଦୈନିକ ପାହାଡରୁ ୭ ହଜାର ଟ୍ରିପ କଳାପଥର ଲୁଟ କରାଯାଏ । ଏ ବାବଦରେ ସରକାର କିନ୍ତୁ ରାଜସ୍ୱ ପାଇ ନଥାନ୍ତି । ଏହାବାଦ ଯାଉଥିବା ୫୦୦ ରୁ ୧୦୦୦ ଟ୍ରିପ ପାଇଁ ସରକାର ରାଜସ୍ୱ ପାଇଥାନ୍ତି । ଏଠାରେ ୧୬ ଟି ଖାଦାନରୁ ୩ଟି ଖାଦାନକୁ ପାହାଡ ଉତ୍ତୋଳନ ପାଇଁ ଅନୁମତି ମିଳିଥିବା ବେଳେ ୨୦ ଟି ଖାଦାନରୁ ବେଧଡକ ପଥର ବ୍ଲାଷ୍ଟିଂ ଚାଲିିଛି । ତେବେ ଚୋରା ଚାଲାଣ ହେଉଥିବା ଏହି ୭ ହଜାର ଚୋରା ପଥର ବାବଦରେ ପ୍ରାୟ ୪ କୋଟି ଟଙ୍କା ବେଆଇନ ଭାବେ ବ୍ୟବସାୟୀ ମାନେ ଅର୍ଥ ରୋଜଗାର କରୁଥିବା ବେଳେ ମାସିକ ୧୨୦ କୋଟି ଟଙ୍କାର ଚୋରା ପଥର କାରବାର ହୋଇଥାଏ ।

ଏହି ଅର୍ଥ କୁଆଡେ ତଳୁ ଉପର ଯାଏ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ବଂଟା ଯାଉଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ସମ୍ବବ ନୁହେଁ ବୋଲି ପଥର ମାଫିଆ ମାନଙ୍କ ଦୃଢୋକ୍ତି ବାରମ୍ବାର ସତ୍ୟରେ ପ୍ରମାଣିତ ହୋଇଛି । ଏଥିପାଇଁ ରାଜସ୍ୱ ବିଭାଗ ସବୁ ଜାଣି ବି ମୁହଁରେ ତୁଣ୍ଡି ବାନ୍ଧିଥିବା ବେଳେ ରାଜ୍ୟର ଏତେବେଡ ଲୁଟ ନେଇ ବିରୋଧୀ ଦଳର ରାଜ୍ୟ ସ୍ତରର ନେତାମାନେ ବି ଚୁପ ରହିଛନ୍ତି । ସ୍ଥାନୀୟ କ୍ଷମତାସୀନ ନେତା ଏହି କାରବାରର କାର୍ପଟଦାର ସାଜିଥିବାରୁ ଜନସ୍ୱାର୍ଥ ଏବଂ ସରକାରଙ୍କ ରାଜସ୍ୱ ଲୁଟ ନେଇ ବିଧାନସଭାରେ ପଦୁଟିଏ କହି ନାହାନ୍ତି କିମ୍ବା ବିଭାଗୀୟ ଅଧିକାରୀଙ୍କୁ ଧାଡିଏ ପତ୍ର ବି ଦେଇ ନାହାନ୍ତି । ଏପରିକି ଏହି କାରବାରରେ ସଂପୃକ୍ତ ଥାଇ ସୁରକ୍ଷା ଯୋଗାଇ ଆସିଥିବା ସ୍ଥାନୀୟ ତହସିଲଦାରଙ୍କ ଠାରୁ ଉଚ୍ଚ କର୍ତ୍ତୁପକ୍ଷମାନେ ନିଜ ସଂପର୍କିୟଙ୍କ ନାମରେ ବହୁ କୋଟି ଟଙ୍କାର କଳାଧନ ଠୁଳ କରିଥିବାର ଅଭିଯୋଗ ହେଉଛି । ଧର୍ମଶାଳାର ଅନ୍ୟ ପାହାଡ ପରି ଡଙ୍କାରୀ ଖୁବଶିଘ୍ର ନିଜର ସତ୍ତା ହରାଇବାକୁ ଯାଉଥିବା ବେଳେ ଅନ୍ତତ ସରକାରୀ ସଂପତ୍ତିର ସୁରକ୍ଷା ପାଇଁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ।

ୱାଗନହୋଲ ବ୍ଲାଷ୍ଟିଂ ଫଳରେ ପାହାଡରୁ ଏକକାଳୀନ ୧ ହଜାରରୁ ୩ ହଜାର ପର୍ଯ୍ୟନ୍ତ ପଥର ତଳକୁ ଖସିଥାଏ । ଏହାର ପ୍ରଚଣ୍ଡ ଶବ୍ଦ ପ୍ରଭାବରେ ବୃଦ୍ଧ, ଗର୍ଭବତୀ ମହିଳାଙ୍କ ଉପରେ ବ୍ୟାପକ କୁପ୍ରଭାବ ପକାଉଛି । ପାହାଡରୁ ଏହି ପଥର ଧସିବା ସମୟରେ ସ୍ଥାନୀୟ ଆଖପାଖ ଅଂଚଳରେ ମୃଦୁ ଭୂମିକମ୍ପ ହେବା ପରି ଅନୁଭୂତ ହୋଇଥାଏ । ଏହାର ପ୍ରଭାବରେ ଆଖପାଖ ୫୦ ଟି ଗ୍ରାମରେ କାନ୍ଥ ଫାଟିଯିବା, ଥାକରେ ଥିବା ସାମଗ୍ରୀ ତଳକୁ ପଡିଯାଏ । ପାହାଡରେ ହୋଲ କରାଯାଇ ଦିଆଯାଉଥିବା ବିଷାକ୍ତ ସାମଗ୍ରୀ, ରସାୟନିକ ପଦାର୍ଥର ପ୍ରଭାବ, ଦ୍ରୁତ ପାହାଡ ଅବକ୍ଷୟ ପାଇଁ ଏହି ଅଂଚଳର ଭୂତଳ ଜଳସ୍ତର ପ୍ରଦୂଷିତ ହେବାରୁ ପାହାଡ ସଂଲଗ୍ନ ଗ୍ରାମର ୪୫ ଜଣଙ୍କ କିଡନି ରୋଗରେ ମୃତ୍ୟୁ ହେଲାଣି ।

ପାହାଡ ଲିଜ ନିଆଯିବା ବେଳେ ବିପଦ ଜନକ (ୱାଗନହୋଲ ବ୍ଲାଷ୍ଟିଂ) କରିବା ନେଇ ସ୍ୱୀକୃତି ନଥିବା ବେଳେ ଲୋକଙ୍କ ଦ୍ୱାରା ମ୍ୟାନ ହ୍ୟାଣ୍ଡେଲ ପଥର ଉତୋଳନ କରାଯିବାକୁ ଅନୁମତି ପ୍ରଦାନ କରାଯାଇଛି । ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ତଥା ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳଙ୍କ ଅଭିଯୋଗ ପରେ ଏ ପ୍ରକାର ବିପଦ ଜନକ ବ୍ଲାଷ୍ଟିଂ ନକରାଯିବାକୁ ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ତକ୍ରାଳୀନ ନିର୍ଦ୍ଦେଶକ ଭାଗିରଥୀ ବେହେରା ୨୦୧୧ ଜୁନ ୨୩ ରେ ପତ୍ର ନଂ ୧୧୩୬୩ରେ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଳ୍ଲାପାଳଙ୍କ ଅନୁରୂପ ନିର୍ଦ୍ଦେଶାନାମା ପରେ ଧର୍ମଶାଳା ତହସିଲଦାର ମଧ୍ୟ ପତ୍ର ନଂବର.୩୩୦୮(୩) ଦ୍ୱାରା ଡଙ୍କାରୀ, ଆରୁହା, ବଳରାମପୁର ରାଜସ୍ୱ ନିରୀକ୍ଷକଙ୍କୁ ୱାଗନହୋଲ ବ୍ଲାଷ୍ଟିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାଜପୁର ଏସ.ପି ମଧ୍ୟ ୱାଗନହୋଲ ବ୍ଲାଷ୍ଟିଂ ବନ୍ଦ ପାଇଁ ଜେନାପୁର ଓ ଧର୍ମଶାଳା ଥାନାକୁ ନିର୍ଦ୍ଦେଶ ଦେଇଥିଲେ ।

ଦିନରାତି ଅହରହ ରାବଣରାଜ କରି ପ୍ରଚଣ୍ଡ ଶବ୍ଦ କରି ଏଠାରେ ୱାଗନହୋଲ ବ୍ଲାଷ୍ଟିଂ କରାଯାଉ ଥିଲେ ମଧ୍ୟ ୭ ବର୍ଷ ଭିତରେ ଗୋଟିଏ ହେଲେ କେସ ଥାନା କିମ୍ବା ରାଜସ୍ୱ ବିଭାଗ ତରଫରୁ କରାଯାଇ ନାହିଁ ।  ଅପରନ୍ତୁ ନିର୍ଦ୍ଦେଶକ ନିର୍ଦ୍ଦେଶକୁ ଏଠାରେ ଦୀର୍ଘବର୍ଷ ହେବ ନାଲିଫିତା ତଳେ ଚାପି ଦିଆଯାଇଛି । ଏହାପରେ ସତୀଶଙ୍କ ଅଭିଯୋଗକୁ ଭିତ୍ତି କରି ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଗତ ୧୩.୩.୧୨  ରିଖରୁ ପତ୍ର ନଂବର ୫୮ରେ ୱାଗନହୋଲ ବ୍ଲାଷ୍ଟିଂ ବନ୍ଦ ପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶକଙ୍କୁ ଯାଇଥିବା ନିର୍ଦ୍ଦେଶ ଦେଇଥିଲେ ।

ଏଥିନେଇ ତକ୍ରାଳୀନ ନିର୍ଦ୍ଦେଶକ ବି.ପି ସିଂ ପତ୍ର ନଂବର-୧୧୧୨୫ ତା୨୦.୬.୧୨ ରିଖରେ  ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଚିବ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଯାଜପୁର ଜିଲ୍ଲାପାଳଙ୍କୁ ଦେଇଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ହୋଇନାହିଁ । ଏହାର ପ୍ରତିବାଦରେ ବାରମ୍ବାର ହୋଇଥିବା ଆନ୍ଦୋଳନକୁ କଳେ, ବଳେ, କୌଶଳେ ଚପାଇ ଦିଆଯାଇଛି  । ଶେଷକୁ ପୋଲିସକୁ ବ୍ୟବହାର କରାଯାଇ ଆନ୍ଦୋଳନକୁ ଦମନ କରାଯାଇଛି । ଯେଉଁ ପୋଲିସ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବେଆଇନ ୱାଗନହୋଲ ବ୍ଲାଷ୍ଟିଂକୁ ବନ୍ଦ କରିବା କଥା ସେହି ପୋଲିସ ବେଆଇନ କାର୍ଯ୍ୟ ବିରୋଧରେ ହୋଇଥିବା ଆନ୍ଦୋଳନକୁ ଦମନ କରିବାକୁ ସମସ୍ତ କଳ, ବଳ, କୌଶଳ ପ୍ରୟୋଗ କରିଛି । ପ୍ରଶାସନ, ପୋଲିସ, ପଥର ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବା ରାବଣରାଜ ଏବେ ସରକାର ବିରୋଧରେ ଗୁମୁରୁଥିବା ଅସନ୍ତୋଷ ଦିନକୁ ଦିନ ତିବ୍ର ହେବାରେ ଲାଗିଛି ।

By amfnews

Related Post