Sat. Apr 20th, 2024

ବେଆଇନ ବିସ୍ପୋରକ ଦ୍ରବ୍ୟ ବେପାର ପାଇଁ ଲୋପ ପାଉଛି ଜଙ୍ଗଲ

manasranjanbiswal07@gmail.com' By Manas Ranjan Biswal Jul 26, 2018 #Featured
275 Views

ଯାଜପୁର,୨୬/୦୭ : ବେଆଇନ ବିସ୍ପୋରକ ଦ୍ରବ୍ୟ ବେପାର ପାଇଁ ଲୋପ ପାଉଛି ଜଙ୍ଗଲ । ଯାଜପୁର ଜିଲ୍ଲାର ଜେନାପୁର ଥାନା ଅନ୍ତର୍ଗତ ଅଞ୍ଜିରା ପଂଚାୟତ ଅଳସଗଣ୍ଡ ଗ୍ରାମ ନିକଟରେ ଥିବା ଏକ ଶାଳ ଜଙ୍ଗଲରେ ବେଆଇନ ଭାବେ ଏକ ମାଗାଜିନ ହାଉସ (ବିସ୍ପୋରକ ଦ୍ରବ୍ୟ) ବିକ୍ରୟ କେନ୍ଦ୍ର ଚାଲିଛି । ଏହି ମାଗାଜିନ ହାଉସର ନାମ ସୁନିଲ ଏକ୍ସକ୍ଲୁସିଭ ବୋଲି ଏହାର ପ୍ରାଚୀରରେ ସୂଚନା ପ୍ରଦାନ କରାଯାଇଛି । ଏହି ମାଗାଜିନ ହାଉସ ପାଇଁ ସରକାରଙ୍କ କୌଣସି ଅନୁମତି ନଥିବା ବେଳେ ଏଠାରେ ସଂପୂର୍ଣ୍ଣ ବେଆଇନ ଭାବେ ଏହି ମାଗାଜିନ ହାଉସ ଚାଲିଛି ।

ବର୍ଷକ ପୂର୍ବରୁ ମଉଳାଭଞ୍ଜ ୨ ନଂବର ପଥର କ୍ୱାରୀରେ ପଥର ବ୍ଲାଷ୍ଠିଂରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଏଥିନେଇ ଜିଲ୍ଲାରେ ବ୍ୟାପକ ହଟଚମଟ ପ୍ରକାଶ ପାଇବା ସହ ସାଧାରଣରେ ଘୋର ଉଦବେଗ ପ୍ରକାଶ ପାଇଥିଲା । ଏହି ଘଟଣାରେ ପୋଲିସ ଓ ପ୍ରଶାସନ ତରଫରୁ ମଧ୍ୟ ତନାଘନା କରାଯାଇଥିଲା । ଏହି ଦୁର୍ଘଟଣାର ମୂଳ କାରଣ ବେଆଇନ ପଥର ବ୍ଲାଷ୍ଟିଂ ହୋଇଥିବା ବେଳେ ଏହି ବିସ୍ପୋରଣ ପାଇଁ ଆସୁଥିବା ଡିନାମାଇଟ, ବିଷାକ୍ତ ସାମଗ୍ରୀ ନେଇ ପୋଲିସ ଖୋଳତାଡ କରିଥିଲା ।

ଏହି ମାଗାଜିନ ହାଉସ ଏଥିନେଇ ତଦନ୍ତ ପରିସରକୁ ଆସିଥିବା ବେଳେ ଏଠାରୁ ଡିନାମାଇଟ ଯାଇ ବିସ୍ପୋରଣ କରାଯାଇଥିବାର ଜଣାପଡିଥିଲା । ସରକାରୀ ସ୍ୱୀକୃତି ବିନା ଏଠାରେ ଚୋରାରେ ବିସ୍ପୋରକ ସାମଗ୍ରୀ ବିକ୍ରି ହେବା ନେଇ ମଧ୍ୟ ଏହି ମାଗାଜିନ ହାଉସ ଉପରେ ସେ ସମୟରେ ପୋଲିସ ଚଢାଉ କରାଯାଇଥିଲା । ଏଥିନେଇ ମାଗାଜିନ ହାଉସ ଉପରେ ତକ୍ରାଳୀନ ଯାଜପୁର ଏସ.ଡି.ପି.ଓ ଚଢାଉ କରିଥିଲେ ।

ହେଲେ କେଉଁ କାରଣରେ ସଂପୃକ୍ତ ମାଗାଜିନ ହାଉସ ମାଲିକଙ୍କୁ ଗିରଫ କରାଗଲା ନାହିଁ ତାହା ପୋଲିସର ଭୂମିକା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ପୁନଶ୍ଚ ଏହି ମାଗାଜିନ ହାଉସରେ ପ୍ରଚୁର ପରିମାଣର ବିସ୍ପୋରକ ସାମଗ୍ରୀ ବିକ୍ରି ଚାଲିଛି । ଏବେ ଏଠାରୁ ବିପୁଳ ପରିମାଣ  ବିସ୍ପୋରକ ସାମଗ୍ରୀ ଚାଲାଣ କରାଯାଇ ଧର୍ମଶାଳା ତହସିଲ ଅଂଚଳରେ ଥିବା ଶହ ଶହ ଏକର ଜଙ୍ଗଲ କିସମ ପାହାଡରେ ବ୍ଲାଷ୍ଟି କରାଯାଇ ଜଙ୍ଗଲ ଧ୍ୱଂସ କରାଯାଉଛି । ଏଥିନେଇ ଉଭୟ ପୋଲିସ ଏବଂ ବନ ବିଭାଗ ତରଫରୁ ଦୃଢ ପଦକ୍ଷେପ ଗ୍ରହଣ କରାଯିବା କଥା ।

ହେଲେ ଉଭୟ ବିଭାଗର ନୀରବତା ଯେତିକି ଆଶ୍ଚର୍ଯ୍ୟ ଜନକ ତତୋଧିକ ଉଦବେଗ ଜନକ । ଏଥିନେଇ ଯାଜପୁର ଏସ.ପିଙ୍କ ଦୃଷ୍ଟି ପଡିବାକୁ ସାଧାରଣରେ ଦାବି ହେଉଥିବା ବେଳେ ବି.ଜେ.ଡିର ଜନୈକ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏଥିନେଇ ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Related Post