Sat. Apr 20th, 2024

ବିଶିଷ୍ଟ ବାମପନ୍ଥୀ ନେତା ବିଶ୍ୱନାଥ ସାହୁଙ୍କ ପରଲୋକ

By amfnews Mar 19, 2016 #Featured
231 Views

ଭୁବନେଶ୍ୱର, ୧୯/୦୩: ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ସିପିଆଇ ନେତା ତଥା ପୂର୍ବତନ ଛତ୍ରପୁର ବିଧାୟକ ବିଶ୍ୱନାଥ ସାହୁ ଆଉ ନାହାନ୍ତି । ଦୀର୍ଘ ଦିନ ଧରି ରୋଗାଗ୍ରସ୍ତ ଥିବା ଏହି ବିପ୍ଳବୀ ଶେଷରେ ମୃତୁ୍ୟ ସହିତ ପରାଜୟ ସ୍ୱୀକାର କରି ପରଲୋକ ଗମନ କରିଛନ୍ତି । ମୃତୁ୍ୟ ବେଳକୁ ତାଙ୍କୁ ୯୧ବର୍ଷ ହୋଇଥିଲା । ଗଞ୍ଜାମ ଜିଲ୍ଲାର ବଡକୁଶସ୍ଥଳି ଜନ୍ମଭୂମି ଠାରୁ ତାଙ୍କ ପରଶରିରକୁ ଭୁବନେଶ୍ୱର ସିପିଆଇ କାର୍ଯ୍ୟାଳୟ ଭଗବତୀ ଭବନ ଅଣାଯାଇଥିଲା । ସିପିଆଇ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ସୁଧାକର ରେଡ୍ଡୀ, ସିପିଏମ୍ କେନ୍ଦ୍ରୀୟ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ରାଜ୍ୟ ସମ୍ପାଦକ ଅଳୀକିଶୋର ପଟ୍ଟନାୟକ, ଜନାର୍ଦ୍ଦନ ପତି, ରାମକୃଷ୍ଣ ପଣ୍ଡା, ନାରାୟଣ ରେଡ୍ଡୀ ଆଦି ବହୁ ବିଶିଷ୍ଟ ବାମପନ୍ଥୀ ନେତାଙ୍କ ସମେତ ତାଙ୍କ ପୁଅ ସାମ୍ବାଦିକ ବିଘ୍ନେଶ୍ୱର ସାହୁ, ଝିଅ, ଜ୍ୱାଇଁ ଓ ସମସ୍ତ ପରିବାର ଓ ବନ୍ଧୁ ବାନ୍ଧବ ବର୍ଗ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

968814_1165003326865583_2431214036652157025_n
୧୯୨୯ରେ ଜନ୍ମଲାଭ କରିଥିବା ଶ୍ରୀ ସାହୁ ବାମପନ୍ଥୀ ଆଦର୍ଶରେ ଅନୁପ୍ରାଣୀତ ହୋଇ ୧୯୪୫ ମସିହାରେ ଅଖିଳ ଭାରତୀୟ ଛାତ୍ର ସଂଘର ନେତୃତ୍ୱ ନେଇଥିଲେ । ୧୯୪୬ ମସିହାରେ ସେ ସିପିଆଇର ଗଞ୍ଜାମ ଜିଲ୍ଲା ସମ୍ପାଦକ ଏବଂ ଅଖିଳ ଭାରତୀୟ କୃଷକ ସଂଘର ନେତୃତ୍ୱ ନେଲେ । ସାରା ଜୀବନ ସେ ଦୁର୍ନୀତି, ସାମ୍ପ୍ରଦାୟିକତାବାଦ ବିରୁଦ୍ଧରେ ଅସହାୟ-ଗରିବଙ୍କ ପାଇଁ ସଂଗ୍ରାମ କରିଥିଲେ । ୧୯୭୭ ଏବଂ ୧୯୮୧ ମସିହା ଦୁଇ ଥର ସେ ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ତାଙ୍କ ନିଧନରେ ଗ୍ରାମରୁ ଭୁବନେଶ୍ୱର ଚାରିଆଡେ ଶୋକାକୁଳ ପରିସ୍ଥିତି ସୃଷ୍ଟିକରିଛି ଏବଂ ବାମପନ୍ଥୀ ବିପ୍ଳବର ଏକ ଅଧ୍ୟାୟର ଅବସାନ ଘଟିଛି ।

By amfnews

Related Post