Fri. Apr 26th, 2024

ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ, ବାଚସ୍ପତି ସୋମନାଥ ଚାଟାର୍ଜୀ ଓ ତାମିଲ ଜନନାୟକ କରୁଣାନିଧିଙ୍କ ବିୟୋଗରେ ସିଆଇଟିୟୁର ଗଭୀର ଶ୍ରଦ୍ଧାଞ୍ଜଳି

rklsanchar@gmail.com' By J.N. Pradhan Aug 18, 2018 #Featured
145 Views

ରାଉରକେଲା, ୧୮ା୮ : ଆଜି ଶ୍ରମିକ ଭବନଠାରେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଭାରତ ରାଜନୀତିର ତିନି ମହାନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପୟୀ, ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ ଓ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣା ନିଧିଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସଭାପତି ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜେପୟୀଙ୍କ ସହ ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ଦୀର୍ଘ ୫ ଦଶନ୍ଧି ଧରି ପାର୍ଲିଆମେଣ୍ଟର ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅବଦାନ ଅତୁଳନୀୟ ବୋଲି କହିଥିଲେ । ଉଭୟ ଦୀର୍ଘଦିନ ଧରି ପାର୍ଲିଆମେଣ୍ଟରେ ଭାରତ ବର୍ଷର ସାମ୍ବାଧାନିକ ବ୍ୟବସ୍ଥାକୁ ନିରପେକ୍ଷ ଭାବରେ ଯେପରି ଚଳାଇଥିଲେ ତାଙ୍କୁ ଚିରଦିନ ପାଇଁ ସମସ୍ତେ ମନେ ରଖିବେ ।

ସ୍ୱର୍ଗତ ବାଜପେୟୀଙ୍କ ଦୀର୍ଘଦିନର ପାର୍ଲିଆମେଣ୍ଟ ସଭ୍ୟ ତଥା ପ୍ରଧାନମନ୍ତ୍ରୀ ସମୟରେ ନିରପେକ୍ଷତା ଅବଲମ୍ବନ କରିଥିବାରୁ ଆଜି ସମସ୍ତ ଜନସାଧାରଣଙ୍କ ଠାରୁ ମୃତ୍ୟୁ ପରେ ମଧ୍ୟ ସର୍ବଶ୍ରେଷ୍ଠ ସମ୍ମାନ ପାଇବା ସମ୍ଭବ ହୋଇପାରିଛି । ସେହିପରି ବିଖ୍ୟାତ ବାମପନ୍ଥୀ ନେତା ସୋମନାଥ ଚାଟାର୍ଜୀ ତାଙ୍କ ଦୀର୍ଘ ପାର୍ଲିଆମେଣ୍ଟ ଜୀବନରେ ବିରୋଧି ଦଳ ନେତା ହିସାବରେ ଜନସାଧାରଣଙ୍କ ପାଇଁ ଦାବି ଉପସ୍ଥାପନ ସହ ବାଚସ୍ପତି ଭାବରେ ତାଙ୍କର ନିରପେକ୍ଷତା ପାଇଁ ଚିରସ୍ମରଣୀୟ । ସେହିପରି ତାମିଲନାଡୁର ଦାମିଲବାସୀଙ୍କ ପାଇଁ ଆନ୍ଦୋଳନ ତଥା ଧର୍ମନିରପେକ୍ଷ ଗଣତାନ୍ତ୍ରିକ ଆନ୍ଦୋଳନ ପାଇଁ ଦାମିଲ୍ବାସୀଙ୍କ ଜନମାନସରେ ଅବିସ୍ମରଣୀୟ ହୋଇରହିବେ । ସାଧାରଣ ସମ୍ପାଦକ ବସନ୍ତ ନାୟକ ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ବାଜପେୟୀ ଓ କରୁଣାନିଧିଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ପୂର୍ବତନ ବାଚସ୍ପତି କେବଳ ବାମପନ୍ଥୀ ନେତା ନଥିଲେ ସେ ଭାରତବର୍ଷର ଶ୍ରମିକ ଓ ଜନସାଧାରଣଙ୍କ ପାଇଁ ସୁପ୍ରିମକୋର୍ଟରେ ବାରିଷ୍ଟର ଭାବରେ ଯେପରି ଲଢେଇ କରିଛନ୍ତି ତାହା ଚିରସ୍ମରଣୀୟ । ବିଶେଷ କରି ଇସ୍ପାତ, ଖଣି ଶ୍ରମିକଙ୍କ ପାଇଁ ମାଗଣାରେ ଓକିଲାତି କରିବା ସହ ଆପିଏସ୍-୯୫ କେସ୍ରେ ତାଙ୍କର ଅବଦାନ ଅତୁଳନୀୟ । ଅନ୍ୟମାନଙ୍କ ମଧ୍ୟରେ ବିମାନ ମାଇତି, ଏସ୍.କେ. ବେହେରା, ସି.ମିଞ୍ଜ, ସୁରେନ୍ଦ୍ର ମହାନ୍ତି, ଏନ୍.ଏନ୍. ପାଣିଗ୍ରାହୀ, ଏ.କେ. ମିଶ୍ର, ବାସୁଦେବ ସାହୁ ପ୍ରମୁଖଙ୍କ ସମେତ କୁଳମଣି ରାଉତ, କେ.ସି. ଦାସ, ମାନସ ବୋଷ, ଏଲ୍.ଏନ୍. ମହାନ୍ତି, ବିଦ୍ୟାଧର ନାୟକ, ଏନ୍.ସି. ପାତ୍ର, ପ୍ରଦୀପ ସେଠୀ ସଭାରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ୟୁ.ପି. ମୁଖାର୍ଜୀ ଧନ୍ୟବାଦ ଦେଇଥିଲେ ।

Related Post