Fri. Mar 29th, 2024

ଧର୍ମଶାଳାରେ ଆବାସ ଯୋଜନା ପ୍ରାୟୋରିଟ ଲିଷ୍ଟରେ ଚଂଚକତା: ଭିଜିଲାନ୍ସ ତଦନ୍ତ ଦାବି

By amfnews Jul 9, 2018 #Featured
270 Views

ଯାଜପୁର,୯/୭: ଆବାସ ଯୋଜନାରେ ଗୃହ ପାଇବାକୁ ହୋଇଥିବା ପ୍ରାୟୋରିଟ ଲିଷ୍ଟରେ ହୋଇଛି ବ୍ୟାପକ ଚଂଚକତା । ଯାଜପୁର ଜିଲ୍ଲାର କୋରେଇ ବ୍ଲକରେ ଏଭଳି ଘଟଣା ଭିଜିଲାନ୍ସ ତଦନ୍ତରେ ଧରାପଡିବା ପରେ ଏବେ ଧର୍ମଶାଳା ବ୍ଲକରେ ଅର୍ଦ୍ଧାଧିକ ପଂଚାୟତରେ ବି ଗରୀବଙ୍କ ତଣ୍ଟି ଚିପି ଦେବାକୁ ହୋଇଛି ଏଭଳି  କାରସାଦି  । ଓଳିଏ ଖାଇବାକୁ ପାଇଲେ ଆର ଓଳିକୁ ଓପାଷ ଶୋଉଥିବା ଏବଂ ମୁ୍ଣ୍ଡ ଗେଞ୍ଜିବାକୁ ଗୃହ ଉପଯୋଗୀ ଚାଳ ଖଣ୍ଡେ ନଥିବା ଅସହାୟ ମହିଳାଙ୍କ ନାମ ବି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇବାକୁ ହୋଇଥିବା ତାଲିକାରେ ନାମ ନାହିଁ । ଏହି ଆଳ ଦେଖାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବି ଭୁଆଁ ବୁଲାଉଛି ବ୍ଲକ ପ୍ରଶାସନ । ତେବେ ଏହି ଚଂଚକତା ଏବେ ଗରୀବଙ୍କ ପାଇଁ କାଳ ହୋଇଥିବାରୁ ଏଥିନେଇ ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖାଯାଇଛି ।

ଖବରରୁ ପ୍ରକାଶ, ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ ଏଣ୍ଡଳବା ପଂଚାୟତ ବିଛାଖଣ୍ଡୀ ଗାଁର ସ୍ୱର୍ଗତ ଘନଶ୍ୟାମ ଦେଉରୀଙ୍କ ପତ୍ନୀ ରଙ୍ଗଲତା । ଅତି ଦୁର୍ଦ୍ଦଶାରେ ଏବଂ ଦୟନୀୟ ଭାବେ ଜୀବନ ବିତାଉଥିବା ରଙ୍ଗଲତାଙ୍କ ଅବସ୍ଥା ନେଇ ଅନୁଧ୍ୟାନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ନିର୍ଦ୍ଦେଶକୁ ପ୍ରଶାସନ ଅତି ଚତୁରତାର ସହ ବାଁଏ ବାଁଏ ଉଡାଇ ଦେଇଛି । ଏହି ଯୋଜନାରେ ଗୃହ ପାଇବାକୁ ୨୦୧୧ ମସିହା ସର୍ଭେ ଅନୁସାରେ ହୋଇଥିବା ପ୍ରାୟୋରିଟ ଲିଷ୍ଟରେ ନାମ ନଥିବାରୁ ତାଙ୍କୁ ଗୃହ ଦିଆଯିବ ନାହିଁ ବୋଲି ଧର୍ମଶାଳା ବି.ଡି.ଓ ପତ୍ର ନଂବର ୨୧୮୩ ରେ ଦର୍ଶାଇ ଯାଜପୁର ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।

୬୦ ବୟସର ବିଧବା ବୃଦ୍ଧା ରଙ୍ଗଲତା ପାଇଁ ଦଇବର ଦାଉ ସାଙ୍ଗକୁ ସରକାରୀ କଳର ଦାଉ ଉଦବେଗ ଜନକ ସ୍ଥିତି ସୃଷ୍ଟି କରିଛି । ରଙ୍ଗଲତାଙ୍କ ରହିବାକୁ ଘର ନାହିଁ । ପୋଷିବାକୁ ପାଖରେ ପୁଅ କି ଝିଅ କିମ୍ବା ଉତରାଧିକାରୀ କେହି ନାହିଁ । ଦୀର୍ଘଦିନରୁ ସ୍ୱାମୀ ଆଖି ବୁଜିଲେଣି । ଭୁଇଁରେ ଗାର ଦେବାକୁ ଜମି ବି ନାହିଁ । ସରକାର ଘୋଷଣା କରିଛନ୍ତି ଭୂମିହୀନଙ୍କୁ ମିଳିବ ଘରଢିହ । ହେଲେ ରଙ୍ଗଲତାଙ୍କ ପାଇଁ ଏହା ସାତସପନ । ବିଛାଖଣ୍ଡୀରେ ଥିବା ପାହାଡ ପର୍ବତରୁ ଦୈନିକ କୁଆଡେ ବହୁଲକ୍ଷ ଟଙ୍କାର କଳାପଥର ଲୁଟ ହେଉଛି । ଏହି କାରବାରରେ ରକ୍ଷକ ହୋଇ ଭକ୍ଷକ ସାଜିବାର ମସୁଧାରେ ବ୍ୟସ୍ତ ଥିବା ରାଜସ୍ୱ ବିଭାଗର ଅଧିକାରୀ, ପ୍ରଶାସନ, ରାଜନେତାଙ୍କ ପାଇଁ ରଙ୍ଗଲତା ପରି ଦଃୁଖୀଙ୍କ ଦଃୁଖ ବୁଝିବାକୁ ବେଳ ବା କାହିଁ ।

ସେଥିପାଇଁ ରଙ୍ଗଲତାଙ୍କୁ ଘରଢିହ ଖଣ୍ଡିଏ ମିଳି ପାରୁନାହିଁ । ରହିବାକୁ ଘର ନଥିବାରୁ ଗାଁ ଲୋକେ ରାସ୍ତା କଡରେ ଗୋଟିଏ ଭଙ୍ଗା କୁଡିଆ ତୋଳିଛନ୍ତି । ତାକୁ ଛାଆଣି କରିବାକୁ ବି ରଙ୍ଗଲତାଙ୍କ ହାତରେ ଯୁ ନାହିଁ । ସରକାରୀ କଳ ଓ ଜନପ୍ରତିନିଧି ସିନା ନିଷ୍ଠୁର, ହେଲେ ଗ୍ରାମବାସୀଙ୍କ ମଣିଷ ପଣିଆ ରଙ୍ଗଲତାଙ୍କ ପାଇଁ ଜାଗ୍ରତ ହେଇଛି । ପଡିଶା ଲୋକେ ଏକାଠି ହୋଇ ରଙ୍ଗଲତାଙ୍କ ଘରଟିକୁ ଛାଆଣି କରିଛନ୍ତି । ଭଙ୍ଗା କୁଡିଆ ଭିତରେ ଶାପ ବେଙ୍ଗଙ୍କ ରାଜୁତି କହିଲେ ନସରେ । ବର୍ଷା ଅସଳାଏ ହେଲେ ଏହି କୁଡିଆରେ ପାଣି ଚାଲେ । ରଙ୍ଗ ଶୁଅନ୍ତି ଗାଁ ଲୋକଙ୍କ ପିଣ୍ଡାରେ । ଏହି ପଂଚାୟତରେ କୋଠାଘର ଥିବା ଥିଲାବାଲା ଲୋକେ ବହୁ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଥିବାର ଦୃଷ୍ଟାନ୍ତର ଅଭାବ ନାହିଁ ।

ସେମାନଙ୍କର ପ୍ରାୟରିଟ ଲିଷ୍ଟରେ ନାମ ରହିଛି । ହେଲେ ସରକାରୀ ହିସାବ କହୁଛି ରଙ୍ଗଲତା ସେମାନଙ୍କ ଠାରୁ ଯଥେଷ୍ଟ ଧନୀ । ଧର୍ମଶାଳାରେ ରଙ୍ଗଲତାଙ୍କ ପରି ବହୁ ଅସହାୟଙ୍କ ଦଃୁଖ ନାଲିଫିତା ତଳେ ଚାପି ହୋଇଯାଉଛି ।  ବି.ଜେ.ଡି ଯୁବନେତା ସତୀଶ ବିଶ୍ୱାଳଙ୍କ ନେତୃତ୍ୱରେ ଯାଇଥିବା ଏକ ପ୍ରତିନିଧି ଦଳ ରଙ୍ଗଲତାଙ୍କୁ ସାକ୍ଷାତ କରିବା ସହ ତାଙ୍କୁ ଘରଢିହ ଓ ଗୃହ ପ୍ରଦାନ କରିବାକୁ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିନେଇ ଯାଜପୁର ଜିଲ୍ଲାପାଳଙ୍କୁ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଥିଲା । ତେବେ ଦଃୁଖ ପରେ ଦଃୁଖ ସହି ନିର୍ବାକ ହୋଇ ଯାଇଥିବା ସରକାରୀ କଳ ଉପରେ ରଙ୍ଗଲତାର ଭରସା ତୁଟି ଯାଇଛି ।

ସତକୁ ସତ ରଙ୍ଗଲତାର ଦଃୁଖ ବୁଝିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶ ପରେ ଯାଜପୁର ଜିଲ୍ଲାପାଳ ଏଥିନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବାପରେ ରଙ୍ଗଲତାର ସ୍ୱର ଓ ହକକୁ ଚାପି ଦେବାର ଷଡଯନ୍ତ୍ର ଆରମ୍ବ ହୋଇଗଲା । ଅବାସ ଯୋଜନା ହିତାଧିକାରୀ ଚୟନ ପାଇଁ  ପ୍ରସ୍ତୁତ ହୋଇଥିବା ତାଲିକାକୁ ଚଂଚକତା କରାଯାଇ ରଙ୍ଗଲତାରଙ୍କ ନାମ ନଥିବାର ରିପୋର୍ଟ ପ୍ରଦାନ କରାଗଲା । ଏହାସହ ରଙ୍ଗଲତାଙ୍କ ଘରଢିହ ନଥିବା ନେଇ ଏହି ସମାନ ଅଭିଯୋଗରେ ଦର୍ଶାଯାଇ ଥିବା ବେଳେ ଏଥିନେଇ ବି ଜିଲ୍ଲା ପ୍ରଶାସନ ନୀରବତା ଅବଲମ୍ବନ କଲେ ।

ଯାଜପୁର ଜିଲ୍ଲାରେ ଆବାସ ଯୋଜନା ପାଇଁ ପ୍ରସ୍ତୁତ ହୋଇଥିବା ତାଲିକାରେ ବ୍ୟାପକ ଅନିୟମିତତା ନେଇ ଭିଜିଲାନ୍ସ କେସ ହୋଇ କୋରେଇ ବ୍ଲକରେ ସଂପୃକ୍ତ ଭି.ଏଲ.ଡବଲ୍ୟୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଧର୍ମଶାଳା ବ୍ଲକରେ ମଧ୍ୟ ବହୁ ପଂଚାୟତରେ ଏହି ତାଲିକାକୁ ଓଳଟ ପାଲଟ କରାଯାଇଛି । ରଙ୍ଗଲତାଙ୍କ ଠାରୁ ବହୁ ଧନୀ ଲୋକ ସମାନ ପଂଚାୟତରେ ଗୃହ ପାଇବାକୁ ଯୋଗ୍ୟ ହୋଇଥିବା ବେଳେ ତାଲିକାରେ ନାମ ନରହିବା ନେଇ କ୍ଷେତ୍ର ପରିଦର୍ଶନ କରି ମୂଳ ତାଲିକା ପ୍ରସ୍ତୁତ କରିଥିବା କର୍ମଚାରୀ ଏବଂ ପ୍ରାୟୋରିଟ ଲିଷ୍ଟ ପ୍ରସ୍ତୁତ କରିଥିବା ଅଧିକାରୀଙ୍କ କାର୍ଯ୍ୟଧାରାକୁ ଭିଜିଲାନ୍ସ ତଦନ୍ତ ପରିସରକୁ ଆଣିବାକୁ ସାଧାରଣରେ ଦାବି ହେଉଛି ।

ଏଭଳି ଗୋଟିଏ ଗୋଟିଏ ଅଭିଯୋଗକୁ ଦୃଷ୍ଟାନ୍ତ ଭାବେ ଗ୍ରହଣ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ସରକାର ଲୋକାଭିମୁଖୀ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଗରୀବ କଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ । ଏ କ୍ଷେତ୍ରରେ ସରକାରୀ କଳ ଯଥେଷ୍ଟ ସ୍ୱଚ୍ଛତା ଅବଲମ୍ବନ କରିବାକୁ ବିଭିନ୍ନ ସମୟରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ହେଲେ ଅନେକ ସମୟରେ ଗରୀବର ସ୍ୱାର୍ଥ, ସ୍ୱର ଓ ହକ ପ୍ରଶାସନିକ ଚକ୍ରାନ୍ତ ନିକଟରେ ନିଶ୍ୱ ଏବଂ ବେସାହାରା ହୋଇ ଦିଗହରା ହେଉଛି ।

By amfnews

Related Post