Thu. May 2nd, 2024

ଟିଟୋ ଧର୍ମଶାଳା ଲିଙ୍କକୁ ଲୁଚାଉଛି କିଏ?

By amfnews Jul 28, 2018 #Featured
ଟିଟୋ ଧର୍ମଶାଳା ଲିଙ୍କକୁ ଲୁଚାଉଛି କିଏ?ଟିଟୋ ଧର୍ମଶାଳା ଲିଙ୍କକୁ ଲୁଚାଉଛି କିଏ?
296 Views

ଯାଜପୁର,୨୭/୦୭(ସ୍ୱ.ପ୍ର) ରାଜ୍ୟରେ ଯେଉଁ ଆଙ୍ଗୁଠି ଗଣତି ତହସିଲରେ ସର୍ବାଧିକ ରାଜସ୍ୱ ଲୁଟ ହୋଇଛି ତା ଭିତରେ ଧର୍ମଶାଳା ଅନ୍ୟତମ । ଏଠାରେ କେତେ କଳାପଥର ପାହାଡ ମାଟିରେ ମିଶିଲାଣି ତ ଅନ୍ୟ କେତେକ ମାଟିରେ ମିଶିବାକୁ ଯାଉଛି । ଉନ୍ନୟନ କାର୍ଯ୍ୟରେ କଳାପଥରର ବେଶ ଚାହିଦା ଥିବା ବେଳେ ଧର୍ମଶାଳାରେ ଏହି କାରବାରରେ ପଞ୍ଝା ମାରିଥିଲେ ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀ । ସେଥିପାଇଁ ପ୍ରଥମ ଉଦ୍ୟମ ସ୍ୱରୂପ ନିଜ ପସନ୍ଦର ତହସିଲଦାରଙ୍କୁ ଏଠାକୁ ବଦଳି କରି ଆଣି ଟିଟୋ ଚଲାଇଥିଲେ ନିଜର ଲୁଟ ଅଭିଯାନ । ଆଉ ଏହି ଲୁଟ ଅଭିଯାନ ପଛରେ ରହିଆସିଛି ଧର୍ମଶାଳାର କ୍ଷମତାସୀନ ନେତାଙ୍କ ପ୍ରଚ୍ଛନ୍ନ ସହଯୋଗ ।
ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଂଚଳରେ ଥିବା କଳାପଥର ପାହାଡ ଓ ନଦୀବାଲି ଖାଦାନ ଗୁଡିକରେ ଧର୍ମଶାଳାର ତକ୍ରାଳୀନ ବିଧାୟକ ସ୍ୱର୍ଗତ କଳ୍ପତରୁ ଦାସଙ୍କ ରାଜୁତି ଥିଲା । କଳ୍ପତରୁଙ୍କ ପରଲୋକ ପରେ ତାଙ୍କର ପୁଅ ପ୍ରଣବ ବଳବନ୍ତରାୟ କ୍ଷମତାକୁ ଆସିବା ପରେ ସମାନ ଅବସ୍ଥା ହୋଇଛି । ସତେ ଯେପରି ଏଠାରେ ପାହାଡ ଓ ବାଲି ଖାଦାନ ଗୁଡିକର ମାଲିକ ଓଡିଶା ସରକାର ନୁହନ୍ତି ବରଂ ନିର୍ଦ୍ଧିଷ୍ଟ କ୍ଷମତାସୀନ ନେତାଙ୍କ ପରିବାର । ଦୈନିକ ବହୁକୋଟି ଟଙ୍କାର ଲାଭ ଖବର ପାଇବା ପରେ ଟିଟୋ ମଧ୍ୟ ଏହି କାରବାରରେ ହସ୍ତକ୍ଷେପ କରିବା ଆରମ୍ବ କଲେ । ପ୍ରଥମେ ପ୍ରଥମେ ଶାସକ ଦଳ ନେତାଙ୍କ ସମର୍ଥକଙ୍କ ସହ ଟିଟୋ ସାମ୍ରାଜ୍ୟର ସାମାନ୍ୟ ମନାନ୍ତର ହୋଇଛି । ହେଲେ ପରେ ମିଳିମିଶି ଲୁଟିବାକୁ ସମାଧାନର ପନ୍ଥା ବି ବାହାରିଲା । ଉଭୟ ଗ୍ୟାଙ୍ଗଷ୍ଟାର ଓ କ୍ଷମତାସୀନ ନେତାଙ୍କ ମହାମେଣ୍ଟ ପାଇଁ ଡଙ୍କାରୀ ପାହାଡରୁ କଳାପଥର ଲୁଟ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହୋଇଥିବା କ୍ରାଇମବ୍ରାଂଚ ତଦନ୍ତ ବି ନିଷ୍ପ୍ରଭ ହୋଇଛି । ଏହି କାରଣରୁ ଅତୀତରେ ଜେନାପୁର ଥାନାରେ ବୋମାମାଡ ହୋଇଥିବା ବେଳେ ଧର୍ମଶାଳା ପାହାଡ ପର୍ବତ ସୁରକ୍ଷା ମଂଚ ସଭାପତି ସତୀଶ ବିଶ୍ୱାଳଙ୍କ ବାରମ୍ବାର ଦାବିପତ୍ର ଅନୁସାରେ ଏହି ଲୁଟ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଅନେକ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶକୁ ବି ପ୍ରଶାସନ କେଉଁଠି ଚାପି ଦେଇଛି ତ ଅନ୍ୟ କେଉଁଠି ପଥର ମାଫିଆଙ୍କ ମନ ମୁତାବକ ରିପୋର୍ଟ ପ୍ରଦାନ କରିଛି । ବାହୁବଳୀ ଏବଂ କ୍ଷମତାସୀନଙ୍କ ମହାମେଂଟ ବଳରେ ପୋଲିସ ଓ ପ୍ରଶାସନକୁ ବ୍ୟବହାର କରି କଳେ ବଳେ କୌଶଳେ ଏଠାରେ ବେଆଇନ ପଥର ବ୍ଲାଷ୍ଟିଂ ନେଇ ଯେତେ ଅଭିଯୋଗ ଓ ଜନଅସନ୍ତୋଷ, ଆନ୍ଦୋଳନକୁ ଚାପି ଦିଆଯାଇଛି ।
ଲୁଟ ପାଇଁ ହୋଇଥିବା ଏହି ମହାମେଂଟରୁ ବାଲି ଖାଦାନ ବି ବାଦ ପଡିନି । ଧର୍ମଶାଳା ତହସିଲ ନାକତଳେ ଥିବା ଅନେକ ବାଲି ଖାଦାନରୁ ଲକ୍ଷ ଲକ୍ଷ ଟ୍ରିପ ବାଲି ରାଜ୍ୟ ବାହାରକୁ ଚାଲିଯାଇଛି । କେବଳ ଲୁଟ କରିବା ପାଇଁ ନିଜକୁ ଶାସକ ଦଳର ଆଗୁଆ ସଂଗଠକ ବୋଲାଉଥିବା କେତେକ କର୍ମୀ ବି ମାଲେମାଲ ହୋଇଛନ୍ତି । ଏହି ଅପରାଧ ଗ୍ୟାଙ୍ଗରେ ପରୋକ୍ଷ ସଂପୃକ୍ତି ଥାଇ ବହୁକୋଟି ଟଙ୍କାର ଆୟ ବହିର୍ଭୁତ ସମ୍ପତ୍ତି ଅର୍ଜନ କରିଛନ୍ତି ।
ରାଜ୍ୟ ତଥା ସାଧାରଣ ଜନତାଙ୍କ ସ୍ୱାର୍ଥରକ୍ଷା, ପାହାଡ ପର୍ବତ ଓ ପରିବେଶର ସୁରକ୍ଷା, ରାଜସ୍ୱ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ଅନେକ ନିର୍ଦ୍ଦେଶକୁ ଏଠାରେ ଅଣଦେଖା କରିବାରେ ଧର୍ମଶାଳା ତହସିଲଦାର ପ୍ରଭାସ ବେଉରା ହିଁ ମୁଖ୍ୟ ପୁରୋଧା ସାଜିଛନ୍ତି । ରକ୍ଷକ ହୋଇ ଭକ୍ଷକ ସାଜିଥିବା ଏଭଳି ପ୍ରଶାସକ ମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଖାତର କରୁ ନଥିବା ବେଳେ ବେଆଇନ କାରବାରରୁ ବହୁକୋଟି ଟଙ୍କା ଆୟ କରିଛନ୍ତି । ଏହି କାରବାରରେ ସଂପୃକ୍ତ ଥିବା ପ୍ରଶାସକମାନେ କେବଳ ଯେ ଅର୍ଥ କମାଇଛନ୍ତି, ତାହା ନୁହେଁ ବରଂ ବିଭିନ୍ନ ପ୍ରକାର ଆପତ୍ତି ଜନକ କାର୍ଯ୍ୟରେ ସଂପୃକ୍ତ ରହି ଯାବତୀୟ ଅୟସ ମଧ୍ୟ କରିଛନ୍ତି । ଚଣ୍ଡୀଖୋଲରେ ଏକ ବଡ ହୋଟେଲରେ ଆପତ୍ତି ଜନକ ଅବସ୍ଥାରେ ସଂପୃକ୍ତ ଅଧିକାରୀଙ୍କୁ ଦେଖିବାକୁ ମିଳିଥିବା ବେଳେ ଡଙ୍କାରୀ ପାହାଡ ପରିସରରେ ଥିବା ଶୀତତାପ ନିୟନ୍ତ୍ରିତ କୋଠରୀରେ ମଧ୍ୟ ଆପତ୍ତି ଜନକ କାର୍ଯ୍ୟରେ ଅଧିକାରୀ ମାନଙ୍କୁ ଦେଖିବାକୁ ମିଳିଛି ।
ନବୀନ ପଟ୍ଟନାୟକ ସରକାର ଅପରାଧ ଦମନ କରିବା କ୍ଷେତ୍ରରେ କଠୋର ପଦକ୍ଷେପକୁ ସାଧାରଣରେ ପସନ୍ଦ କରାଯାଉଛି । ଏହି ସମୟରେ ମହିମା ମିଶ୍ର, ଡି ବ୍ରଦର୍ସଙ୍କ ଠାରୁ ଆରମ୍ବ କରି ଶୁର, ସାରଥୀଙ୍କ ପ୍ରସଙ୍ଗ ଏହାର ଦୃଷ୍ଟାନ୍ତ ହୋଇଛି । ଠିକ ସେହିପରି ଟିଟୋ ଅପରାଧ ଦମନ ପ୍ରକିୟା ସାଧାରଣରେ ନବୀନ ସରକାରକୁ ଗ୍ରହଣୀୟ କରିଛି । ବିରୋଧୀ ମାନେ ଏହି ତଦନ୍ତ ପ୍ରକିୟାକୁ ନେଇ ନାନା ପ୍ରଶ୍ନବାଚୀ ଉଠାଉଥିବା ବେଳେ ସରକାର ଏ କ୍ଷେତ୍ରରେ ଅଧିକ ନୀରପେକ୍ଷ ଏବଂ କଠୋର ହେବାକୁ ସାଧାରଣରେ ମତ ପ୍ରକାଶ ପାଉଛି । ଟିଟୋ ଲିଙ୍କ ନେଇ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ତରଫରୁ ଚଢାଉ ଚାଲିଥିବା ବେଳେ ଟିଟୋର ଧର୍ମଶାଳା ଲିଙ୍କ ନେଇ କୌଣସି ଚଢାଉ ହୋଇନାହିଁ । ଏଥିପାଇଁ ଟିଟୋର ଧର୍ମଶାଳା ଲିଙ୍କକୁ ଲୁଚାଉଛି କିଏ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇ ବିଭିନ୍ନ କଥା ଶୁଣିବାକୁ ମିଳୁଛି ।

By amfnews

Related Post