Thu. Mar 28th, 2024

ଛାଇ ଆଲୁଅର ଖେଳ

patnaikprasanta1@gmail.com' By Prasanta Patnaik Jun 9, 2018 #Featured
511 Views

ପ୍ରଶାନ୍ତ ପଟ୍ଟନାୟକ:
ଲୋକଙ୍କ ପାଖରେ ସଠିକ୍ ଖବର ପରିବେଷଣ କରିବା ହେଉଛି ସାମ୍ବାଦିକତାର ଧର୍ମ । ତେବେ ସମ୍ବାଦ ପରିବେଷଣରେ ଲୋକଙ୍କ ଆଗ୍ରହ ତଥା ଲୋକଙ୍କ ବିଶ୍ୱସନୀୟ ଖବରକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ । ଅପରାଧ, ଶିକ୍ଷା, ସ୍ୱାସ୍ଥ୍ୟ ତଥା ସଚେତନତାକୁ ଖବରରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ସମାଜରେ ଘଟୁଥିବା ପ୍ରତ୍ୟେକ ଟିକିନିଖି ଘଟଣାବଳୀକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ସଚେତନ କରାଇବା ହେଉଛି ଖବରର ପ୍ରଧାନ ଉଦ୍ଦେଶ୍ୟ । ନିଜର ସ୍ଥିତି ଜାହିର୍ କରିବା ସହ ଗଣମାଧ୍ୟମର ପ୍ରଭାବ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ ଓ ଅନୁଭବ କରାଇବା ସଙ୍ଗେ ସଙ୍ଗେ ଗଣମାଧ୍ୟମ ସମ୍ପ୍ରତି ଏକ ଶିଳ୍ପ ଭାବରେ ପରିଗଣିତ ହେଉଥିବାରୁ ଶିଳ୍ପାନୁଷ୍ଠାନ ଭଳି ଏହାକୁ ଲାଭଦାୟକ କରିବା ନିମନ୍ତେ ତୀବ୍ର ପ୍ରତିଯୋଗିତା ପରିଲକ୍ଷିତ ହେବା ଏକ ସାଧାରଣ ଘଟଣାରେ ପରିଣତ ହେଲାଣି । ଗଣମାଧ୍ୟମକୁ ବ୍ୟବହାର କରି ଏଥିରୁ ସାମାଜିକ, ରାଜନୈତିକ ଓ ବ୍ୟବସାୟିକ ବା ଅର୍ଥନୈତିକ ଫାଇଦା ଉଠାଇବା ପାଇଁ ସମ୍ପ୍ରତି ଗଣମାଧ୍ୟମ ଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ପରିଲକ୍ଷିତ ହେଉଛି । ଯେଉଁ ଗଣମାଧ୍ୟମ ଜନସାଧାରଣଙ୍କ ନିକଟରେ ଅଧିକ ପରିମାଣରେ ଆଦୃତ ଓ ବିଶ୍ୱସନୀୟ ବୋଲି ପରିଗଣିତ ହେଉଛି ସେହି ଗଣମାଧ୍ୟମଗୁଡ଼ିକ ପାଠକ/ ପାଠିକା, ଶ୍ରୋତା ଓ ଦର୍ଶକମାନଙ୍କୁ ପ୍ରଭାବିତ କରି ନିଜ ନିଜର ବ୍ୟକ୍ତିଗତ, ରାଜନୈତିକ ବା ବ୍ୟବସାୟିକ ଫାଇଦା ଉଠାଇବା ପାଇଁ ବ୍ୟାକୁଳ ହୋଇପଡୁଛନ୍ତି । ଫଳରେ କେବଳ ଜନସ୍ୱାର୍ଥର ସୁରକ୍ଷା ସହ ସାଧାରଣ ଜନତାକୁ ଉପଯୁକ୍ତ ମାର୍ଗ ପ୍ରଦର୍ଶନ କରିବା ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ କରିବା ଗଣମାଧ୍ୟମଗୁଡ଼ିକର ଆଦର୍ଶ ବା ଲକ୍ଷ୍ୟ ଭାବରେ ଗ୍ରହଣ କରିବା ପରିବର୍ତ୍ତେ ଜନମତକୁ ପ୍ରଭାବିତ କରିବା ଲାଗି ଅମୋଘ ଅସ୍ତ୍ର ଭାବରେ ବ୍ୟବହାର କରି ଲାଭ ଉଠାଇବା ପାଇଁ ଅଧିକାଂଶ ଗଣମାଧ୍ୟମ ତତ୍ପର ହୋଇଉଠୁଥିବା ପରିଲକ୍ଷିତ ହେଉଛି ।


ପୂର୍ବ ଭଳି ଗଣମାଧ୍ୟମ ଆଉ ମୁଦ୍ରିତ ସୀମା ମଧ୍ୟରେ ସୀମିତ ନ ହୋଇ ବିଜ୍ଞାନର ଅଗ୍ରଗତି ସହ ବ୍ୟାପକ ହୋଇପଡିଛି । ବୈଦ୍ୟୁତିକ ଗଣମାଧ୍ୟମର ପ୍ରସାର ଫଳରେ ବିଶ୍ୱର ଅନ୍ୟାନ୍ୟ ରାଷ୍ଟ୍ର ଭଳି ଭାରତରେ ଏବଂ ଓଡ଼ିଶାରେ ମଧ୍ୟ ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକରେ ବ୍ୟାପକ ପ୍ରସାର ଘଟିଛି । ପୂର୍ବଭଳି ରେଡ଼ିଓ ଏବଂ ଟିଭି ଆଉ ସରକାରୀ ନିୟନ୍ତ୍ରଣରେ ନାହିଁ । ଏହା ବିଭିନ୍ନ ବ୍ୟକ୍ତି ବା ବ୍ୟବସାୟୀ ଗୋଷ୍ଠୀଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛି । ଫଳରେ ଅନେକ ଗଣମାଧ୍ୟମ ନିଜ ନିଜର ବ୍ୟବସାୟିକ ଓ ରାଜନୈତିକ ଲକ୍ଷ୍ୟ ହାସଲ ପାଇଁ ସରକାରଙ୍କ ଜନାଭିମୁଖୀ କାର୍ଯ୍ୟକଳାପ ଓ ଆଭିମୁଖ୍ୟକୁ ଅଣଦେଖା ଅଥବା ବିରୋଧ କରିବା ସାଧାରଣ ଘଟଣାରେ ପରିଣତ ହୋଇଛି ।
ସାଧାରଣ ଜନତାକୁ ପ୍ରକୃତ ତତ୍ତ୍ୱଭିତ୍ତିକ ସୂଚନା ଯୋଗାଇବା ସହ ସେମାନଙ୍କ ମଧ୍ୟରେ ଦେଶପ୍ରେମ, ଜାତୀୟତାବୋଧ ଏବଂ ସମାଜ ପ୍ରତି ସବୁ ପ୍ରକାର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କ ମନୋରଞ୍ଜନ ନିମନ୍ତେ ଖୋରାକ୍ ଯୋଗାଇ ଦେବା ଗଣମାଧ୍ୟମଗୁଡ଼ିକର ଆଦର୍ଶ କର୍ତ୍ତବ୍ୟ ବୋଲି ଜନସାଧାରଣ ପ୍ରାୟତଃ ଅନୁଭବ କରୁଥିଲେ ମଧ୍ୟ ସମ୍ପ୍ରତି ଗଣମାଧ୍ୟମଗୁଡ଼ିକ ବିଭିନ୍ନ କାରଣରୁ ବା ଚାପର ବଶବର୍ତ୍ତୀ ହୋଇ ଏହି ମୂଳ ଆଭିମୁଖ୍ୟଠାରୁ ଅନେକ ଦୂରେଇ ଯାଇଥିବା ଅନୁଭୂତ ହେଉଛି ।
ସମ୍ପ୍ରତି ଲୋକଙ୍କ ନିକଟରେ ନିଚ୍ଛକ ଖବର ପ୍ରସାର ହେବା ପରିବର୍ତ୍ତେ ମିଥ୍ୟା ଖବର ବା ଫେକ୍ ନ୍ୟୁଜ୍ ପ୍ରସାରିତ କରି ପାଠକ / ଦର୍ଶକ/ ଶ୍ରୋତା ମାନଙ୍କୁ ସେହି ମିଥ୍ୟା ସମ୍ବାଦର ଶ୍ରୋତରେ ଭସାଇ ନେଇ ସଫଳତାର ସହ ବ୍ୟବସାୟିକ/ରାଜନୈତିକ ଓ ବ୍ୟକ୍ତିଗତ ଲାଭ ହାସଲ କରାଯାଇପାରୁଥିବାରୁ ମିଥ୍ୟା ସମ୍ବାଦ ବା ଫେକ୍ ନ୍ୟୁଜ୍ର ପ୍ରସାର ଦିନକୁ ଦିନ ଅଧିକ ପରିମାଣରେ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଅନ୍ଲାଇନ୍ ତଥା ଇଣ୍ଟରନେଟ୍ର ବହୁଳ ପ୍ରଚାର ଓ ପ୍ରସାର ଦ୍ୱାରା ଫେକ୍ ନ୍ୟୁଜ୍ର ପ୍ରସାର ଆଶାତୀତ ଭାବେ ବୃଦ୍ଧି ପାଉଛି । ତେବେ ମିଳିଥିବା ସୂଚନା ଅନୁସାରେ ଭାରତରେ ଏହି ଫେକ୍ନ୍ୟୁଜ୍ର ବଜାର ବେଶ୍ ସକ୍ରିୟ ହୋଇଉଠିଛି । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ପାଖରେ ସ୍ମାର୍ଟ ଫୋନ୍ ଓ ଇଣ୍ଟରନେଟ୍ ସୁବିଧା ରହିଥିବାରୁ ଫେକ୍ ନ୍ୟୁଜ୍ ଅର୍ଥାତ୍ ଫେକ୍ ଭିଡ଼ିଓ ଅତିଶୀଘ୍ର ଭାଇରାଲ୍ ହୋଇଯାଉଛି । ତେବେ ଏହି ଫେକ୍ ନ୍ୟୁଜ୍ ଆମ ରାଜନୈତିକ, ଅର୍ଥନୈତିକ ତଥା ସାମାଜିକ ବ୍ୟବସ୍ଥାକୁ ପ୍ରଭାବ ପକାଉଛି । ୨୦୧୬ ମସିହାରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍ଙ୍କ ଜିତାପଟରେ ଫେକ୍ ନ୍ୟୁଜ୍ ବେଶ୍ ନିର୍ଣ୍ଣାୟକ ଭୂମିକା ଗ୍ରହଣକରିଥିଲା । ସେହିପରି ୨୦୧୭ ମସିହାରେ ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚନରେ ରାଷ୍ଟ୍ରପତି ପ୍ରାର୍ଥୀ ଇମାନୁଏଲ୍ ମାର୍କୋନ୍ଙ୍କ ନାମରେ ମଧ୍ୟ ଏକ ଫେକ୍ ନ୍ୟୁଜ୍ର ପ୍ରସାର ହୋଇଥିଲା । ପରବର୍ତ୍ତୀ ସମୟରେ ଇମାନୁଏଲ୍୍ ରାଷ୍ଟ୍ରପତି ହେବା ପରେ ଫେକ୍ ନ୍ୟୁଜ୍ର ପ୍ରସାର ଓ ପ୍ରଚାର ବନ୍ଦ କରିବା ପାଇଁ ଏକ ବିଲ୍ ପ୍ରସ୍ତୁତ କରିଥିଲେ । ଫ୍ରାନ୍ସ ପରି ଅନେକ ଦେଶରେ ମଧ୍ୟ ଫେକ୍ ନ୍ୟୁଜ୍କୁ ବନ୍ଦ କରିବା ପାଇଁଅନେକଗୁଡ଼ିଏ ନିୟମ ତଥା ଆଇନ୍ ପ୍ରଣୟନ କରାଯାଇଛି । କିନ୍ତୁ ଭାରତରେ ଏହି ଫେକ୍ ନ୍ୟୁଜ୍ ଉପରେ ଅଙ୍କୁଶ ଲଗାଯାଉନାହିଁ ।
ଭାରତରେ ଇଣ୍ଟରନେଟ୍ ବ୍ୟବହାରକାରୀମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏବଂ ବହୁ ସଂଖ୍ୟକ ବ୍ୟକ୍ତି ଫେସ୍ବୁକ୍, ଟ୍ୱିଟର୍, ଇନ୍ଷ୍ଟାଗ୍ରାମ୍ ଭଳି ସାମାଜିକ ଗଣମାଧ୍ୟମଗୁଡ଼ିକ ବହୁଳ ପରିମାଣରେ ବ୍ୟବହାର କରୁଥିବାରୁ ଜନସାଧାରଣଙ୍କ ନିକଟରେ ନିଜର ବ୍ୟକ୍ତିତ୍ୱ ଓ ଆଭିମୁଖ୍ୟକୁ ପହଞ୍ଚାଇ ସେମାନଙ୍କୁ ପ୍ରଭାବିତ କରିବା ସଙ୍ଗେ ସଙ୍ଗେ ରାଜନୈତିକ ଲକ୍ଷ୍ୟ ପୂରଣ ପାଇଁ ପ୍ରଥମେ ଆମ୍ ଆଦ୍ମୀ ଦଳର ନେତା ଶ୍ରୀ ଅରବିନ୍ଦ କେଜ୍ରୀୱାଲ୍ ଉଦ୍ୟମ କରି ସଫଳତା ହାସଲ କରିବା ପରେ ଏହି ମାଧ୍ୟମକୁ ଏକ ଶକ୍ତିଶାଳୀ ମାଧ୍ୟମ ଭାବରେ ବ୍ୟବହାର କରିବା ପାଇଁ ଆମ ଦେଶର ରାଜନେତାମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଥିବା ପରିଲକ୍ଷିତ ହୋଇଥିଲା । ଗତ ୨୦୧୪ ନିର୍ବାଚନରେ ସାମାଜିକ ଗଣମାଧ୍ୟମ ଜରିଆରେ ନିଜର ଭାବମୂର୍ତ୍ତି ଓ ଆଭିମୁଖ୍ୟ ଦେଶବାସୀଙ୍କ ନିକଟରେ ସଫଳତାର ସହ ପହଞ୍ଚାଇ ସେମାନଙ୍କ ଆସ୍ଥା ଓ ବିଶ୍ୱାସ ଜୟ କରିବା ଦିଗରେ ଶ୍ରୀ ନରେନ୍ଦ୍ର ମୋଦି ସଫଳତା ହାସଲ କରି ଭାରତର ରାଜନୈତିକ ଇତିହାସରେ ନୂତନ ଅଧ୍ୟାୟ ସୃଷ୍ଟି କରିବା ଦିଗରେ ସଫଳ ହୋଇଥିବା ନିଜେ ଶ୍ରୀ ମୋଦି ସ୍ୱୀକାର କରିବା ସହ ତାଙ୍କ କଠୋରତମ ସମାଲୋଚକମାନେ ମଧ୍ୟ ୍ସ୍ୱୀକାର କରିବା ପାଇଁ ବାଧ୍ୟ ହୋଇଥିଲେ । ଶ୍ରୀ ମୋଦି ନିଜ ଦଳ ସପକ୍ଷରେ ସୋସିଆଲ୍ ମିଡ଼ିଆର ବ୍ୟବହାର କରିବା ପାଇଁ ଦଳ ତରଫରୁ ମାସିକ ଦରମା ଦେଇ ଲକ୍ଷ ଲକ୍ଷ ସଂଖ୍ୟକ ସାଇବର ସେନାଙ୍କୁ ନିଯୁକ୍ତି ଦେଇ ବିଜେପି ସପକ୍ଷରେ ବାର୍ତ୍ତା ଦେଇ ଜନସାଧାରଣଙ୍କୁ ପ୍ରବର୍ତ୍ତାଇବା ଦିଗରେ ସଫଳ ହୋଇଥିଲେ ।
ଏହିଥିରୁ ଶିକ୍ଷାଲାଭ କରି ସମ୍ପ୍ରତି ଅଧିକାଂଶ ରାଜନୈତିକ ଦଳର ନେତାମାନେ ନିଜର ଓ ନିଜ ଦଳର ରାଜନୈତିକ ସ୍ଥିତିକୁ ସୁଦୃଢ କରିବା ନିମନ୍ତେ ସାମାଜିକ ଗଣମାଧ୍ୟମକୁ ପ୍ରଭାବିତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ନେତୃତ୍ୱ ଓ ବିଜୁଜନତା ଦଳ ପ୍ରତି ଓଡ଼ିଶାବାସୀଙ୍କୁ ଆକର୍ଷିତ କରିବା ନିମନ୍ତେ ଫେସ୍ବୁକ୍ ଓ ଟ୍ୱିଟର୍ ଭଳି ସାମାଜିକ ଗଣମାଧ୍ୟମର ବ୍ୟବହାର ପାଇଁ ଦଳୀୟ ସଦସ୍ୟମାନଙ୍କୁ ତାଲିମ୍ ଦେବାର ବ୍ୟବସ୍ଥା କରିଛନ୍ତି ।


ସତ୍ୟ ସମ୍ବାଦ ତୁଳନାରେ ମିଛ ଖବର ବଣ ନିଅାଁ ଭଳି ଅତି ସହଜରେ ବ୍ୟାପି ଯାଉଥିବାରୁ ଅନେକ ସମୟରେ ବିଭିନ୍ନ କାରଣରୁ ନିର୍ଦ୍ଦିଷ୍ଟ ବ୍ୟକ୍ତି / ଦଳ / ସଂଗଠନ / ସଂସ୍ଥା ମିଛ ଖବର ପ୍ରସାର ଓ ପ୍ରଚାର କରି ପ୍ରଭୁତ୍ୱ ଫାଇଦା ଉଠାଉଥିବାର ଦୃଷ୍ଟାନ୍ତ ଆମ ରାଜ୍ୟ ବା ଆମ ଦେଶରେ ବିରଳ ନୁହେଁ । ଓଡ଼ିଶାରେ ୧୯୫୫ ମସିହାରେ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶାସନ ସମୟରେ ଅନୁଗୁଳ ନିକଟବର୍ତ୍ତୀ ରନ୍ତଳେଇଠାରେ ପାଗଳା ବାବା ନାମକ ଜଣେ ଅପ୍ରାପ୍ତ ବୟସ୍କ ବାଳକ ଆଙ୍କୁଲ୍ ଗଛର ଚେରକୁ ହୁକୁମ୍ ଔଷଧ ରୂପେ ବ୍ୟବହାର କରି ସବୁପ୍ରକାର ରୋଗୀମାନଙ୍କୁ ବ୍ୟାଧିମୁକ୍ତ କରିପାରୁଛି ବୋଲି ସମ୍ବାଦ ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟରୁ ହଜାର ହଜାର ସଂଖ୍ୟକ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ଆଶାରେ ସେଠାକୁ ଛୁଟି ଆସିଥିଲେ । ଏପରିକି ଜର୍ମାନ୍ ଓ ଅନ୍ୟାନ୍ୟ ବିଦେଶ ରାଷ୍ଟ୍ରରୁ ଲୋକମାନେ ସେଠାରେ ଆସି ପହଞ୍ôଚଥିଲେ । ସେତେବେଳେ ବିଶୁଦ୍ଧ ପାନୀୟ ଜଳ ଅଭାବରୁ ଏବଂ ଏତେ ସଂଖ୍ୟକ ଲୋକଙ୍କୁ ସୁରୁଖୁୁରୁରେ ଚଳାଇବାର ବ୍ୟବସ୍ଥା ନଥିବାରୁ ଅଚାନକ ଭାବରେ ହଇଜା ମହାମାରୀ ଦେଖାଦେଇଥିଲା । ମୁଖ୍ୟମନ୍ତ୍ରୀ ପାଗଳା ବାବାକୁ ଗିରଫ କରାଇ ସଫଳତାର ସହ ପରିସ୍ଥିତିକୁ ନିଜ ଆୟତ୍ତକୁ ଆଣିଥିଲେ । ସେହିପରି ଗୁରୁଗାଓଁର ବାବା ରାମ ରହିମ୍ଙ୍କ ଅଲୌକିକ କାର୍ଯ୍ୟକଳାପ ସମ୍ପର୍କରେ କାଳ୍ପନିକ ସମ୍ବାଦମାନ ବ୍ୟାପକ ଭାବରେ ପ୍ରସାରିତ ହେବା ପରେ କେନ୍ଦ୍ରର ବହୁ ଉଚ୍ଚପଦସ୍ଥ ନେତା ତାଙ୍କର ଦର୍ଶନ ପାଇଁ ଭିଡ଼ ଜମାଉଥିବାର ସୁଯୋଗ ନେଇ ସେ ଧର୍ଷଣ, ହତ୍ୟା ଉଦ୍ୟମ ଭଳି ଜଘନ୍ୟ କାଣ୍ଡ କରାଇବା ପାଇଁ ଉଦ୍ୟମ କରି ସମ୍ପ୍ରତି କାରାଗାରରେ ସମୟ ଅତିବାହିତ କରୁଛନ୍ତି । ଓଡ଼ିଶାର ସାରଥୀ ବାବା ଓ ସୁରବାବାଙ୍କ ଭଳି ଭଣ୍ଡ ବାବାମାନେ ମଧ୍ୟ ଫେକ୍ ନ୍ୟୁଜ୍ ଜରିଆରେ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ହେବା ସହ ସୌଖୀନ ଜୀବନଯାପନ କରିଥିବା କାହାରିକୁ ଅଛପା ନାହିଁ ।
ଫେକ୍ ନ୍ୟୁଜ୍ ବା ମିଥ୍ୟା ସମ୍ବାଦ ଯେତେ ସହଜରେ ତା’ର କାୟା ବିସ୍ତାର କରିପାରେ, ସତ୍ୟ ଓ ଜନହିତକର ସମ୍ବାଦଟି ପକ୍ଷରେ ତାହା ସମ୍ଭବ ହୁଏ ନାହିଁ । ଏହି ସମ୍ବାଦଟିକୁ ସୀତାଙ୍କ ଭଳି ବାରମ୍ବାର ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଫେକ୍ ନ୍ୟୁଜ୍ର ପ୍ରସାର ପଛରେ ପ୍ରଭାବଶାଳୀ ବ୍ୟକ୍ତି, ରାଜନେତା, ଶିଳ୍ପପତିଙ୍କଠାରୁ ଆରମ୍ଭ କରି କଳାବଜାରୀ ଓ ମାଫିଆମାନଙ୍କର ସମର୍ଥନ ସହ ଅର୍ଥବଳ ଓ ବାହୁବଳର ଶକ୍ତି ଥିବାରୁ ତାହା ବିରୁଦ୍ଧରେ ସଂଗ୍ରାମ କରିବା ଲାଗି ସାହସ କଲେ ଗୌରୀଲଙ୍କେଶଙ୍କ ଭଳି ପରିଣତି ଭୋଗିବାର ସମ୍ଭାବନା ଥିବାରୁ ବହୁ ନିର୍ଭୀକ, ନିର୍ଲୋଭ ଓ ସତ୍ୟନିଷ୍ଠ ସାମ୍ବାଦିକ ଏବଂ ସାମାଜିକ କର୍ମୀ ନିରବ ରହିବା ପାଇଁ ବାଧ୍ୟ ହେଉଥିବା ପରିଲକ୍ଷିତ ହେଉଛି । ସତ୍ୟ ସମ୍ବାଦ ସର୍ବଦା ଏକ ଜ୍ୱଳନ୍ତ ଓ ଉଜ୍ଜ୍ୱଳ ଅଗ୍ନିପିଣ୍ଡ ଭଳି ସମାଜକୁ ଓ ସାମାଜିକ ଜୀବନକୁ ଆଲୋକିତ କରିଥାଏ । ମିଛ ଖବର ବା ଫେକ୍ ନ୍ୟୁଜ୍ ତାହାର ସମସ୍ତ ଦାନବୀୟ ଶକ୍ତି ଖଟାଇ ସେ ଅଗ୍ନିଶିଖାକୁ ନିର୍ବାପିତ କରିବା ପାଇଁ ଅହରହ ଉଦ୍ୟମରତ । ଫେକ୍ ନ୍ୟୁଜ୍କୁ ଆଧାର କରି ଯେଉଁମାନେ ଯେକୌଣସି ପ୍ରକାର ଫାଇଦା ଉଠାଇବା ଲାଗି ଉଦ୍ୟମ କରୁଛନ୍ତି, ଦିନେ ନା ଦିନେ ସେମାନଙ୍କ ମୁଖା ଖୋଲିଯିବା ପରେ ସେମାନେ ଜନସାଧାରଣଙ୍କ ତାଡ଼ନା ହେଉ ଅଥବା ଆତ୍ମଗ୍ଲାନିରେ ଜର୍ଜରିତ ହୋଇ ମୃତ୍ୟୁ ଯନ୍ତ୍ରଣା ଭୋଗିବା ଲାଗି ଯେ ବାଧ୍ୟ ହେବେ ଏଥିରେ ସନ୍ଦେହ ନାହିଁ ।

Related Post