Fri. Apr 19th, 2024

ଉପକୂଳ ରାଜନୀତି: କ୍ଷମତା ବିରୋଧୀ ଜନମତରୁ ଫାଇଦା ନେବେ କି ବିରୋଧୀ?

mailmesatisbiswal@gmail.com' By Satish Biswal Jun 11, 2018 #Featured
917 Views

ଯାଜପୁର,୧୧/୦୬(ସ୍ୱ.ପ୍ର) ଉପକୂଳ ଓଡିଶାର ପ୍ରଭାବ ରାଜ୍ୟ ରାଜନୀତିକୁ ସର୍ବଦା ପ୍ରଭାବିତ କରିଥାଏ । ୨୦୦୦ ମସିହା ପରଠାରୁ ରାଜ୍ୟରେ ବି.ଜେ.ଡି ସରକାରରେ ମଧ୍ୟ ଉପକୂଳ ଓଡିଶାରଏହି ପ୍ରଭାବ ରହିଆସିଛି । ଉପକୂଳ ଓଡିଶାରେ ଦୀର୍ଘଦିନ ଧରି ବିଭିନ୍ନ ବିଧାନସଭା କ୍ଷେତ୍ରରେ କ୍ଷମତାରେ ଥିବା ଏବଂ ବଂଶାନୁକ୍ରମିକ ଭାବେ କ୍ଷମତାରେ ଥିବା କେତେକ ବିଧାୟକଙ୍କ ବିରୋଧରେ ଜନମତ ଦାନା ବାଂଧୁଛି । ବି.ଜେ.ଡି କ୍ଷମତାରେ ଥିବାରୁ ଅସନ୍ତୁଷ୍ଟ ଭୋଟରମାନେ ନୀରବ ରହିଥିବା ବେଳେ ନିର୍ବାଚନ ବେଳେ ଏହାର ପ୍ରତିଫଳନ ହେବ । କ୍ଷମତା ବିରୋଧୀ ଜନମତରୁ ଫାଇଦା ବିରୋଧୀ କଂଗ୍ରେସ ଏବଂ ବି.ଜେ.ପି କେତେ ହାସଲ କରିପାରିବେ ଏହା ଉପରେ ରାଜ୍ୟ ରାଜନୀତି ଉପରେ ବଡ ଧରଣର ପ୍ରଭାବ ପଡିବ ବୋଲି ରାଜନୈତିକ ମହଲରେ ମତ ପ୍ରକାଶ ପାଉଛି ।


ଅର୍ଥ, କ୍ଷମତା ଓ ବାହୁବଳ ଠାରୁ ଗଣତନ୍ତ୍ର ଯଥେଷ୍ଟ ଶକ୍ତିଶାଳୀ ବୋଲି ବାରମ୍ବାର ପ୍ରମାଣିତ ହୋଇଛି । ଏ ଦୃଷ୍ଟିରୁ ଯଥେଷ୍ଟ ସଚେତନ ଏବଂ ସମ୍ବେଦନଶୀଳ ରାଜନୈତିକ ଅଂଚଳ ଭାବେ ପରିଚିତ ଉପକୂଳ ଓଡିଶାରେ ପ୍ରମୁଖ ତିନିଦଳ ପ୍ରାର୍ଥୀ ଚୟନରେ ଉପରେ ମଧ୍ୟ ଭୋଟର ନଜର ରଖିଛନ୍ତି । ଅବିଭକ୍ତ କଟକ, ବାଲେଶ୍ୱର, ପୁରୀ, ଗଂଜାମକୁ ନେଇ ଗଠିତ ଉପକୂଳ ଓଡିଶାରୁ ଆସନ୍ତା ନିର୍ବାଚନରେ ନିଜ ଦଳର ସଫଳତା ରାଜ୍ୟରେ ସରକାର ଗଠନରେ ଦିଗ ନିର୍ଣ୍ଣୟ କରିବ । ଏହି ଅଂଚଳରେ ଥିବା ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ବାଲେଶ୍ୱର, ଭଦ୍ରକ, ନୟାଗଡ, ଖୋର୍ଦ୍ଦା, ଗଞ୍ଜାମ, ଗଜପତି ଜିଲ୍ଲା ଆଦିରେ ରହିଛି ମୋଟ ୭୧ ବିଧାନସଭା ଆସନ । ୨୦୧୪ ବିଧାନସଭା ନିର୍ବାଚନରେ ଏଠାରୁ ବି.ଜେ.ଡି ୬୩, କଂଗ୍ରେସ ୫, ବି.ଜେ.ପି ୨, ସ୍ୱାଧୀନ ପ୍ରାର୍ଥୀ ୧ ଆସନରେ ବିଜୟୀ ହୋଇଥିଲେ । କଂଗ୍ରେସ ହାତରେ ଏହି ନିର୍ବାଚନରେ ରହିଥିଲା ଗଜପତି ଜିଲ୍ଲାର ପାରଳାଖେମୁଣ୍ଡୀ, ଜଗତସିଂହପୁରର ଜଗତସିଂହପୁର, କେନ୍ଦ୍ରାପଡାର ଆଳି ଓ ରାଜନଗର, ଏବଂ କଟକ ଜିଲ୍ଲାର ସାଲେପୁର । ଏହାର ପୂର୍ବ ନିର୍ବାଚନ ୨୦୦୯ ରେ ବି.ଜେ.ପି ଠାରୁ ଅଲଗା ହୋଇ ବି.ଜେ.ଡି ନିର୍ବାଚନ ଲଢି ନିଜର ମେଂଟ ଦଳ (ଏନ.ସି.ପି, ସି.ପି.ଆଇ, ଆଠଗଡରେ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ) ସହ ୬୪ ଟି ଆସନ ପାଇଥିଲା । ବି.ଜେ.ଡି ଏକାକୀ ୬୦ ଆସନ ପାଇଥିଲା । ୨୦୦୯ ନିର୍ବାଚନରେ କଂଗ୍ରେସ ଉପକୂଳରୁ ୫ ଟି ଆସନ ପାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ନୀଳଗିରୀ ଓ ଖୋର୍ଦ୍ଦା ଆସନ ପାଇଥିଲେ ।

ଗତ ବିଧାନସଭା ନିର୍ବାଚନ ହିସାବକୁ ଦେଖିଲେ କଂଗ୍ରେସ ଉପକୂଳ ଓଡିଶାରେ ୭୧ ଟି ଆସନରୁ ୫ ଟିରେ ଜିତିଥିବା ବେଳେ ୪୬ ଆସନରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହାକୁ ବିଚାରକୁ ନେଲେ ଉପକୂଳ ଓଡିଶାରେ ୫୧ ଟି ଆସନରେ କଂଗ୍ରେସର ସ୍ଥିତି ଭଲ ରହିଛି । ଏହାପରେ ଉପକୂଳ ଓଡିଶାରେ ଜିଲ୍ଲା ପରିଷଦ ନିର୍ବାଚନରେ ବି.ଜେ.ପି କେତେକ ସ୍ଥାନରେ ଉତ୍ସାହଜନକ ପ୍ରଦର୍ଶନ କରିଛି । ହେଲେ ଗତ ବିଧାନସଭା ନିର୍ବାଚନ ଏବଂ ଜିଲ୍ଲା ପରିଷଦ ନିର୍ବାଚନରେ କଂଗ୍ରେସର ସ୍ଥିତି ଓ ନେତୃତ୍ୱ ଏବେକାର ପରିସ୍ଥିତି ଭିତରେ ଫରକକୁ ଅସ୍ୱୀକାର କରାଯାଇ ନପାରେ । ପି.ସି.ସି ପରିବର୍ତ୍ତନ ପରେ ରାସ୍ତାଘାଟରେ କଂଗ୍ରେସର ଉତ୍ସାହ ବ୍ୟାନର ପୋଷ୍ଟର ଠାରୁ ସଭା ସମିତି ଏବଂ ଚା ଖଟି ପର୍ଯ୍ୟନ୍ତ ବାରି ହୋଇ ପଡୁଛି । ଅବଶ୍ୟ ପୂର୍ବରୁ ନୀରଂଜନ ପଟ୍ଟନାୟକ ପି.ସି.ସି ସଭାପତି ହେବାବେଳେ କେତେକ କ୍ଷେତ୍ରରେ ଏହାକୁ ପ୍ରମାଣିତ କରିଥିବାରୁ ଏହି ଯୁକ୍ତିକୁ ସ୍ୱୀକାର କରାଯାଉଛି ।


ଅପର ପକ୍ଷରେ କେନ୍ଦ୍ରରେ ଏକ ସଶକ୍ତ ସରକାର ଓ ନେତୃତ୍ୱ ଥାଇ ବି.ଜେ.ପି ଯାହା ଯାହା କରିବା କଥା ତାହା କରି ଦେଖାଇବାରେ ଯଥେଷ୍ଟ ସଫଳ ହୋଇନାହିଁ । ଯେମିତିକି ପାରାଦ୍ୱୀପ ପୋର୍ଟ କେନ୍ଦ୍ରର ନିୟନ୍ତ୍ରଣାଧୀନ ଥିବା ବେଳେ ଏଠାରେ ବ୍ଲାକରୋଜ ଜାହାଜ ବୁଡି ଘଟଣାରେ ସି.ବି.ଆଇ ତଦନ୍ତ କରାନଯିବା , ଚିଟଫଣ୍ଡ ପ୍ରସଙ୍ଗରେ ରାଜନେତାଙ୍କୁ ସି.ବି.ଆଇ ଜେରାପରେ ଅନେକ ନେତାଙ୍କୁ ସୁରକ୍ଷା ଦିଆଯିବା, ଯାଜପୁର ଜିଲ୍ଲାର ଡଙ୍କାରୀରେ ଦେଶର ବୃହତ୍ତମ ଭୂତଳ ତୈଳ ପ୍ରକଳ୍ପରେ ଶିଥିଳତା ଓ ଏଠାରେ ପ୍ରକଳ୍ପ ପାଇଁ ପାହାଡରେ ବ୍ଲାଷ୍ଟିଂ ବନ୍ଦ ନେଇ କେନ୍ଦ୍ରର ନିର୍ଦ୍ଦେଶ କାର୍ଯ୍ୟକାରୀ ନହେବା ପରେ ବି କେନ୍ଦ୍ର ସରକାରଙ୍କ ନୀରବତା, ବି.ଜେ.ପି ସଭାପତି ଅମିତ ଶାହା ଦୁର୍ନିତିଗ୍ରସ୍ତ ନେତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଦମ୍ବୋକ୍ତି ପରେ ପୁଣି ସି.ବି.ଆଇ ଠାରୁ ଆରମ୍ବ କରି ଇ.ଡିଙ୍କ ପର୍ଯ୍ୟନ୍ତ ଚୁପ ରହିଯିବା କିମ୍ବା ନେତାଙ୍କୁ ଜେରା ପରେ କାର୍ଯ୍ୟାନୁଷ୍ଠାନ ନହେବା ପ୍ରସଙ୍ଗ ବି.ଜେ.ପି ପାଇଁ ଦିନକୁ ଦିନ ବୁମେରାଂ ହେବାରେ ଲାଗିଛି । ରାଜ୍ୟରେ କ୍ଷମତାସୀନ ବହୁ ନେତାଙ୍କ ଅସରନ୍ତି କଳାଟଙ୍କା, ବିଭିନ୍ନ ପ୍ରସଙ୍ଗରେ ଦୁର୍ନିତିକୁ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଧରିବାରେ ବିଫଳତା କେନ୍ଦ୍ରରେ ଥିବା ସରକାର ନେଇ ଭିନ୍ନମତ ପ୍ରକାଶ ପାଉଛି । ଯାହାକି ମୋଦୀ ସରକାରଙ୍କୁ ଭାଷଣ ସର୍ବସ୍ୱ ବୋଲି ସମାଲୋଚକମାନେ ରଙ୍ଗ ଦେଉଛନ୍ତି । ଏପରିକି ଏହି କାରଣରୁ କେତେକ ବି.ଜେ.ଡି ବିଧାୟକ ବନ୍ଧା ହେବା ଭୟରେ କେନ୍ଦ୍ର ସରକାରଙ୍କ ଜନୈକ ନେତାଙ୍କ ସହ ଭିତିରି ସମ୍ପର୍କରେ ଥିବା ସହ ଅର୍ଥ କାରବାର ନେଇ ଗୁରୁତର ଅଭିଯୋଗ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି ।

ଦୀର୍ଘଦିନ ଧରି ଶାସନରେ ରହିଲେ କ୍ଷମତାରେ ଥିବା ନେତାଙ୍କ ବିରୋଧରେ ଜନମତ ରହିବା ସ୍ୱାଭାବିକ । ଓଡିଶାରେ କଂଗ୍ରେସ ଶୋଇପଡିବା କାରଣରୁ ଏହି ଜନମତକୁ ବି.ଜେ.ପି କେତେକାଂଶରେ ନିଜ ଆଡକୁ ନେବାରେ ସକ୍ଷମ ହୋଇଥିଲା । ହେଲେ କିଛିଦିନ ହେବ କଂଗ୍ରେସ ପୁଣି ଉଠିଥିବା ବେଳେ ଦୁର୍ନିତିଗ୍ରସ୍ତଙ୍କୁ ସୁରକ୍ଷା ଦେବାରେ କେନ୍ଦ୍ରୀୟ ତଦନ୍ତ ସଂସ୍ଥାର ସଫଳତା ଏବେ ପୁଣି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଥିବା କ୍ଷମତାସୀନଙ୍କ ବିରୋଧୀ ଭୋଟ କଂଗ୍ରେସ କଥା ଭାବିବାକୁ ବାଧ୍ୟ ହୋଇଛନ୍ତି । ଏଭଳି ଅବସ୍ଥାରେ ରାଜନୀତିରେ ଗୋଟି ଚାଳନାରେ ନିଜର ସଫଳତାକୁ ବାରବାର ପ୍ରମାଣ କରି ଆସିଥିବା ବି.ଜେ.ଡି ମଧ୍ୟ ନିଜର ଗୁପ୍ତ ଷ୍ଟାଟେଜି ପ୍ରସ୍ତୁତ କରିସାରିଛି ବୋଲି ବିଶ୍ୱସ୍ଥ ସୁତ୍ରରୁ ପ୍ରକାଶ । କାରଣ ଦୀର୍ଘଦିନ ଧରି କ୍ଷମତାରେ ଥିବା ନେତା କିମ୍ବା ବଂଶାନୁକ୍ରମିକ ଭାବେ କ୍ଷମତାରେ ଥିବା ନେତା, ଦୁର୍ନିତି ନେଇ ପ୍ରଶ୍ନବାଚୀର ସମ୍ମୁଖୀନ ହେଉଥିବା ଅଧିକ ସଂଖ୍ୟାରେ ନେତା ବି.ଜେ.ଡିରେ ରହିଛନ୍ତି । ବି.ଜେ.ଡି ଦୀର୍ଘବର୍ଷ ହେବ କ୍ଷମତାରେ ଥିବାରୁ ବି.ଜେ.ଡିରେ ଏ ପ୍ରକାର ନେତା ରହିବା ସ୍ୱଭାବିକ । ଧର୍ମଶାଳା ପରି କେତେକ ଆସନରେ କ୍ଷମତାସୀନ ନେତା ଏଭଳି ପ୍ରଶ୍ନବାଚୀର ସମ୍ମୁଖୀନ ହେବା ସହ ଜନଆକ୍ରୋଶ ରହିଛି । ଏଥିରୁ ସୃଷ୍ଟି ହେବାକୁ ଥିବା ନେଗେଟିଭ ଭୋଟ ଉପରେ ବିରୋଧୀ ତୀକ୍ଷ୍ଣ ନଜର ରଖିଛନ୍ତି । ହେଲେ ବି.ଜେ.ଡି ସୁପ୍ରୀମୋ ନବୀନ ପଟ୍ଟନାୟକଙ୍କୁ କଳଙ୍କ ମୁକ୍ତ ରଖିବାର ସଫଳ ପ୍ରୟାସ କରି ଆସିଥିବା ବି.ଜେ.ଡି ନିଜର ପ୍ରାର୍ଥୀ ଚୟନ ବେଳେ କଳଙ୍କିତ କିମ୍ବା ପ୍ରଶ୍ନବାଚୀର ସମ୍ମୁଖୀନ ହେଉଥିବା ନେତାଙ୍କୁ ପ୍ରାର୍ଥୀ କରି ନବୀନଙ୍କୁ ଜନଅଦାଲତରେ କାଠଗଡାରେ ଠିଆ ହେବାକୁ ଦେବନାହିଁ । ଗତ ବିଧାନସଭା ନିର୍ବାଚନ ତୁଳନାରେ ଗତ ପଂଚାୟତ ନିର୍ବାଚନରେ ଶଙ୍ଖ ଚିହ୍ନର ଭୋଟ କେତେ ଏବଂ କେଉଁ ନିର୍ବାଚନ ମଣ୍ଡଳୀରେ ହ୍ରାସ ପାଇଛି କିମ୍ବା ବଢିଛି ତାର ତଥ୍ୟ ସଂଗ୍ରହ ସରିଛି ।

ଏଭଳି ବି.ଜେ.ଡି ହାୱା ସତ୍ୱେ ବି.ଜେ.ଡିର ଯେଉଁଠି ବିଧାନସଭା ନିର୍ବାଚନ ତୁଳନାରେ ଭୋଟ କମିଛି ତାହାକୁ ଦଳ ଆଦୌ ସହଜ ଢଙ୍ଗରେ ଗ୍ରହଣ କରିବ ନାହିଁ । ସେହିପରି ବିଭିନ୍ନ ପ୍ରସଙ୍ଗରେ ଲୋକଚକ୍ଷୁରେ ପ୍ରଶ୍ନବାଚୀର ସମ୍ମୁଖୀନ ହୋଇଥିବା ଏବଂ ତଦନ୍ତର ସମ୍ମୁଖୀନ ହୋଇଥିବା ବିଧାୟକ ତଥା ନେତାଙ୍କୁ ଟିକେଟ ନଦେଇ ଦଳ ସ୍ୱଚ୍ଛ ଏବଂ ଗ୍ରହଣୀୟ ତଥା ଦଳ ପ୍ରତି ଆନୁଗତ୍ୟ ଥିବା ନେତାଙ୍କ ତାଲିକା ପ୍ରସ୍ତୁତରେ ରହିଛି । ଶଙ୍ଖ ଚିହ୍ନ ସହ ଲୋକଙ୍କ ସମର୍ଥନ ଥିବାର ଦଳ ଭଲଭାବେ ଅବଗତ ଥିବାରୁ ଦଳରେ ନେତା ଥାଇ ସଭା ସମିତିରେ କିଏ କେତେ ଲୋକ ଦେଖାଇଲା ତାହା ଚିହ୍ନ ଏବଂ ଦଳ ସପକ୍ଷରେ ଥିବା ଲୋକ ହୋଇଥିବା ବେଳେ ଦଳର ନେତୃତ୍ୱ ନେଉଥିବା ନେତା ବିରୋଧରେ ଥିବା ଗୁପ୍ତ ଜନମତକୁ ଆକଳନ କରାଯାଉଛି ।

ଏଭଳି ଅବସ୍ଥାରେ କଂଗ୍ରେସ ମୁଖିଆ ଜଣେ ଭେଟେରାନ ଖେଳାଳୀ ଭାବେ ମଧ୍ୟ ଭଲ ପ୍ରାର୍ଥୀ ଯୋଗାଡରେ ରହିଛନ୍ତି । ବି.ଜେ.ପିର ନେତୃତ୍ୱ ନେଉଥିବା ଧର୍ମେନ୍ଦ୍ର କେନ୍ଦ୍ର ସରକାରରେ ନିଜର ଭୂମିକା ପାଇଁ ଅଧିକ ସମୟ ଦେଉଥିବାରୁ ରାଜ୍ୟ ରାଜନୀତି ନେଇ ଉଭୟ ନବୀନ ଏବଂ ନୀରଞ୍ଜନଙ୍କ ସମକକ୍ଷ ଅଭିଜ୍ଞତା ଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏସବୁ ସତ୍ୱେ ବି.ଜେ.ପି ନିଜର ଭୋଟକୁ ଯଥା ସମ୍ବବ ବଢାଇବାକୁ ଏବଂ ବିଜୟୀ ହେବାକୁ ଭଲ ପ୍ରାର୍ଥୀ ଉପରେ ଗୁରୁତ୍ୱ ଦେବ । ତେବେ ଉଭୟ ଦଳରେ ପ୍ରାର୍ଥୀ ହେବା ଆଶାରେ ଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକ ଆସନରେ ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ ରହିଛି । ଅପର ପକ୍ଷରେ ବି.ଜେ.ଡିରୁ ଭୋଟ ଅନ୍ୟ ଦଳକୁ ନଆସିଲେ, ଉପକୂଳ ଓଡିଶାରେ ନିର୍ବାଚନ ଫଳାଫଳ ଓଲଟପାଲଟ ହେବାର ସମ୍ବାବନା ନାହିଁ । ଏହାକୁ ଦୃଷ୍ଟିରେ ରଖି ଉଭୟ କଂଗ୍ରେସ ଓ ବିଜେପି ନିଜ ଦଳର ଆଶାୟୀଙ୍କ ଅପେକ୍ଷା ବି.ଜେ.ଡିରୁ ଭୋଟ ଆଣି ପାରୁଥିବା ପ୍ରାର୍ଥୀ କିମ୍ବା ବି.ଜେ.ଡିର ଟିକେଟରୁ ବଂଚିତ ହେଉଥିବା ଆଶାୟୀଙ୍କ ଉପରେ ଅଧିକ ନଜର ରଖିଛନ୍ତି । ଏଣେ ବିଧାନସଭା ନିର୍ବାଚନ ପରେ ଗୋଟାଏ ବଡ ଧରଣର ଦଳବଦଳ ପାଇଁ ବି.ଜେ.ପି କେତେକ ବି.ଜେ.ଡି ବିଧାୟକ ସମ୍ପର୍କରେ ଥିବା ବରିଷ୍ଠ ନେତା ଦାମୋଦର ରାଉତଙ୍କ ବୟାନ ରଖିଛନ୍ତି । ତେବେ ଉପକୂଳର ବି.ଜେ.ଡି ଗଡକୁ ଉଭୟ କଂଗ୍ରେସ ଓ ବି.ଜେ.ପି ଭାଙ୍ଗିବା ଉଦ୍ୟମ ଉପରେ ଆଗାମୀ ସରକାରର ସ୍ଥିତି ନିର୍ଭର କରୁଛି । ଏଥିପାଇଁ ତିନିଦଳଙ୍କ ପ୍ରାର୍ଥୀ ଚୟନ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ବାବନା ରହିଛି । ଏସବୁକୁ ଦୃଷ୍ଟିରେ ରଖି ବି.ଜେ.ଡି ମଧ୍ୟ ପ୍ରଶ୍ନବାଚୀର ସମ୍ମୁଖୀନ ହେଉଥିବା ନେତାଙ୍କ ପରିବର୍ତ୍ତେ ନୂଆ ଏବଂ ଲୋକ ଚକ୍ଷୁରେ ଗ୍ରହଣୀୟ ତଥା ଲୋକ ସମ୍ପର୍କରେ ଥିବା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେଲେ ଦଳ ନେଗେଟିଭ ଭୋଟର ସମ୍ମୁଖୀନ ହେବନାହିଁ ବୋଲି ଆକଳନ କରାଯାଉଛି । ସର୍ବୋପରି ତିନି ପ୍ରମୁଖ ଦଳ କୌଣସି ପ୍ରାର୍ଥୀଙ୍କ କଳଙ୍କ ବୋଝକୁ ନବୋହି ଦଳକୁ ଅଧିକ ଜନସମର୍ଥନ ପାଇବା ଭଳି ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେବା ଯୋଜନାରେ ଥିବାର ବିଶ୍ୱସ୍ଥ ସୁତ୍ରରୁ ଜଣାପଡିଛି ।
ସମ୍ବାଦଦାତା-ମାନସ ରଂଜନ ବିଶ୍ୱାଳ, ଏ.ଏମ.ଏଫ ନ୍ୟୁଜ ଯାଜପୁର, ୯୪୩୯୮୧୩୪୧୭
ସୂଚନା- ଖବରକୁ ଅଧିକ ବଳିଷ୍ଠ ଏବଂ ଜୀବନ୍ତ କରିବା ପାଇଁ ମରଣାନ୍ତକ ଆକ୍ରମଣ ବେଳର ଦେବପ୍ରସାଦ ଦେବଙ୍କ ଫଟୋ ଏବଂ ମୁଣ୍ଡ ଫଟା ଅଂଶର ଫଟୋ ଖବର ସହ ଗଲା ।

Related Post