Fri. Apr 26th, 2024

ଅପରାଧ, ଗଣମାଧ୍ୟମ ଓ ନୈତିକତା

patnaikprasanta1@gmail.com' By Prasanta Patnaik May 7, 2018 #Featured
390 Views

ଆମ ଦେଶରେ ସର୍ବତ୍ର ବଢ଼ି ଚାଲିଥିବା ଅପରାଧ ଓ ଦୁର୍ନୀତି ଯୋଗୁଁ ଜନଜୀବନ, ସାମାଜିକ ଏବଂ ଅର୍ଥନୈତିକ ସ୍ଥିତି ଶୋଚନୀୟ ଭାବରେ ବିପର୍ଯ୍ୟସ୍ତ ହୋଇପଡୁଛି । ନିକଟରେ ଭାରତ ଭଳି ଏକ ଉଦାରବାଦୀ ଦେଶରେ ଅପରାଧ ପ୍ରବଣତା ଦ୍ରୁତଗତିରେ ବଢିବାରେ ଚାଲିଛି । ଭାରତରେ ଚଳିତ ବର୍ଷର ୪୫ ଦିନ ଭିତରେ ଘଟିଥିବା ଅପରାଧଗୁଡ଼ିକ ପୂର୍ବ ବର୍ଷ ତୁଳନାରେ ବେଶ୍ ଅଧିକ । ଅପହରଣ, ଚୋରୀ, ରାହାଜାନି, ହତ୍ୟା ତଥା ଦୁଷ୍କର୍ମ ଭଳି ଅପରାଧଗୁଡ଼ିକ ବହୁ ପରିମାଣରେ ବଢୁଥିବାର ଦେଖାଯାଉଛି । ଲୋକଙ୍କ ମାନସିକତାରେ ଅପରାଧପ୍ରବଣତାର ବୃଦ୍ଧି ଏକ ଅସୁସ୍ଥ ପରିବେଶ ଗଠନ କରିବା ସହିତ ଆମକୁ ଏକ ଧ୍ୱଂସାଭିମୁଖୀ ସମାଜ ଆଡ଼କୁ ଆଗେଇ ନେଉଛି ।
ନିକଟରେ ଘଟିଥିବା ଅପରାଧିକ ଘଟଣାବଳୀଗୁଡ଼ିକ ଆମ ନ୍ୟାୟ ବ୍ୟବସ୍ଥା ତଥା ଆଇନ୍ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଅପରାଧିକ କାର୍ଯ୍ୟକଳାପ ପାଇଁ କଠୋରରୁ କଠୋରତମ ଦଣ୍ଡବିଧାନ ପ୍ରଣୟନ କରାଗଲା ମଧ୍ୟ ସମାଜରେ ଏହାର କୌଣସି ପ୍ରଭାବ ପଡୁନଥିବାର ପରିଲକ୍ଷିତ ହେଉଛି ।
ନିକଟରେ ଓଡ଼ିଶାର ରାଉରକେଲାଠାରେ ଘଟିଯାଇଥିବା ପାର୍ସଲ୍ ବୋମା ଘଟଣା ହେଉ ଅଥବା ନାବାଳିକାଙ୍କ ଦୁଷ୍କର୍ମ ଘଟଣା । ଏହି ସମସ୍ତ ଘଟଣାର ରୂପରେଖକୁ ଦେଖିଲେ ଏହା ବିଶେଷ ଭାବରେ ପ୍ରତୀୟମାନ । ସମ୍ପ୍ରତି ରାଉରକେଲାର ପାର୍ସଲ୍ ବୋମା ଘଟଣାଟି ପୂରାପୂରି ଫିଲ୍ମ ଷ୍ଟାଇଲ୍ରେ ହୋଇଥିବାବେଳେ ଏହାର ମୁଖ୍ୟ ଅପରାଧୀ ଜଣକ ଶିକ୍ଷିତ ତଥା ପ୍ରତିଷ୍ଠିତ । ପୂର୍ବରୁ ଅପରାଧିକ କାର୍ଯ୍ୟକଳାପ ଅଶିକ୍ଷିତ ତଥା ଅସାମାଜିକ ଲୋକଙ୍କ ଭିତରେ ରହିଥିବାବେଳେ ବର୍ତ୍ତମାନ ଏହା ଶିକ୍ଷିତ ତଥା ପ୍ରତିଷ୍ଠିତ ସାମାଜିକ ଲୋକଙ୍କ ଦ୍ୱାରା ଘଟାଯାଉଛି ।
ସମ୍ପ୍ରତି ଗୁଜୁରାଟ, ଉତ୍ତରପ୍ରଦେଶ ତଥା ଓଡ଼ିଶାରେ ଘଟିଯାଇଥିବା ନାବାଳିକା ଦୁଷ୍କର୍ମ ଆମ ସମାଜର ବିଧ୍ୱଂସ ସ୍ଥିତିକୁ ବେଶ୍ ଜାହିର୍ କରିପାରୁଛି । ପୂର୍ବାପେକ୍ଷା ଏହି ଅପରାଧିକ କାର୍ଯ୍ୟକଳାପ ପାଇଁ ଉଦ୍ଦିଷ୍ଟ ଦଣ୍ଡବିଧାନରେ ବ୍ୟାପକ ପରିବର୍ତ୍ତନ ସହିତ କଠୋର ଦଣ୍ଡବିଧାନ ହେବା ସତ୍ତେ୍ୱ ସମଗ୍ର ଦେଶରେ ବିଭିନ୍ନ ସହର ତଥା ଗ୍ରାମାଞ୍ଚଳରେ ମଧ୍ୟ ଧର୍ଷଣ ଓ ଗଣଧର୍ଷଣ ବହୁ ପରିମାଣରେ ବଢ଼ି ଚାଲିଛି ଏବଂ ଏଭଳି ଗୁରୁତର ଅପରାଧମାନ ଘଟାଇବା ପରେ ଅପରାଧୀମାନେ ନିଜର ନିରାପତ୍ତା ପାଇଁ କେତେକ କ୍ଷେତ୍ରରେ ପୀଡ଼ିତାଙ୍କୁ ହତ୍ୟା କରୁଥିବା କିମ୍ବା ହତ୍ୟା କରିବା ପାଇଁ ଉଦ୍ୟମ କରୁଥିବା ଦୃଷ୍ଟାନ୍ତ ମଧ୍ୟ ନଜରକୁ ଆସୁଛି । କେତେକ କ୍ଷେତ୍ରରେ ଅପରାଧୀମାନେ ଗିରଫ ହେଉଥିବା ସ୍ଥଳେ ବହୁ କ୍ଷେତ୍ରରେ ରାଜନୈତିକ ଅଥବା ପ୍ରଭାବଶାଳୀ ବ୍ୟକ୍ତିମାନଙ୍କ ପୃଷ୍ଠପୋଷକତା ଯୋଗୁଁ ଅପରାଧୀମାନେ ଗିରଫ ହେଉନାହାନ୍ତି । ଯେଉଁମାନେ ଗିରଫ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ପୋଲିସ କର୍ମଚାରୀ, ଡାକ୍ତର ଓ ସାକ୍ଷୀମାନଙ୍କୁ ପ୍ରଭାବିତ କରି ଆଇନ ଆଖିରେ ନିର୍ଦ୍ଦୋଷ ବୋଲି ନିଜକୁ ପ୍ରମାଣିତ କରିପାରୁଛନ୍ତି । ମାତ୍ର ସ୍ୱଳ୍ପ କେତେଗୋଟି ଘଟଣାରେ ଅପରାଧୀମାନେ ଦଣ୍ଡ ପାଉଥିବାର ଦେଖାଯାଉଛି ।
ଆଧୁନିକ ଯୁଗରେ କର୍ପୋରେଟ୍ ଦ୍ୱାରା ନିୟନ୍ତ୍ରିତ ବଜାର ଅର୍ଥନୀତିରେ ଅନେକ କ୍ଷେତ୍ରରେ ମହିଳାମାନଙ୍କୁ ପଣ୍ୟଦ୍ରବ୍ୟ ଭଳି ବ୍ୟବହାର କରାଯାଇ ବିଜ୍ଞାପନ ଓ ଅଭିନୟ ଜରିଆରେ ପୁରୁଷମାନଙ୍କର ମନୋରଞ୍ଜନ କରାଯାଉଛି । କେତେକ ଯୁବତୀଙ୍କର ସଂକ୍ଷିପ୍ତ ପରିଧେୟ ତଥା ଉତ୍ତେଜନାକାରୀ ଚାଲିଚଳଣ ବା ଆଚରଣ ପୁରୁଷମାନଙ୍କୁ ବିପଥଗାମୀ କରୁଛି ବୋଲି ଅନେକ ଯୁକ୍ତି ବାଢ଼ୁଛନ୍ତି । ମହିଳାମାନେ ଯଦି ସଂଯମତା ଅବଲମ୍ବନ କରନ୍ତେ ଏବଂ ଅର୍ଥ ବା ବିଜ୍ଞାପିତ ହେବାର ପ୍ରଲୋଭନକୁ ଏଡାଇ ନିଜକୁ ଉତ୍ତେଜକ ବିଜ୍ଞାପନ ଓ ଅଭିନୟଠାରୁ ଦୂରେଇ ରଖନ୍ତେ ତେବେ ଆମ ସମାଜରେ ତାହାର ଏକ ସୁପ୍ରଭାବ ପଡନ୍ତା ବୋଲି ସେମାନେ ଯୁକ୍ତି ବାଢ଼ୁଛନ୍ତି । ସମାଜରେ ଥିବା ଆର୍ଥିକ ବିଷମତା ଅନେକଙ୍କୁ ବିପଥଗାମୀ ହେବା ପାଇଁ ବାଧ୍ୟ କରୁଥିବା କାହାରିକୁ ଅଛପା ନାହିଁ । ନୈତିକତା ସମ୍ପର୍କରେ ବଜାର ସଭ୍ୟତାର ପ୍ରବର୍ତ୍ତକମାନଙ୍କ ଠାରୁ ଆରମ୍ଭ କରି ନ୍ୟାୟାଳୟ ପର୍ଯ୍ୟନ୍ତ ଯେଉଁ ପରିବର୍ତ୍ତିତ ଦୃଷ୍ଟୀଭଙ୍ଗୀର ପ୍ରଚାର କରୁଛନ୍ତି ତାହା ମଧ୍ୟ ସମାଜକୁ ବିଶୃଙ୍ଖଳିତ କରିବାରେ ବହୁ ପରିମାଣରେ ସହାୟକ ହେଉଛି । କଣ୍ଡୋମ୍କୁ ପ୍ରଥମେ ଜନ୍ମ ନିୟନ୍ତ୍ରଣର ସାଧନ ଭାବରେ ଗଣମାଧ୍ୟମରେ ପ୍ରଚାର କରାଯାଉଥିଲା ମାତ୍ର ପରବର୍ତ୍ତୀ କାଳରେ ଏଡ୍ସ୍ ଏବଂ ଅନ୍ୟାନ୍ୟ ଯୌନ ରୋଗର ପ୍ରତିଷେଧକ ଭାବରେ ଏହା ବିଜ୍ଞାପିତ ହେଲା ମାତ୍ର ଏବେ ତାହାକୁ ଯୌନ ସୁଖ ପ୍ରାପ୍ତି ପାଇଁ ବ୍ୟବହାର କରିବାକୁ ପ୍ରଚାରିତ ହେଉଛି । ଏହି ଗୋଟିଏ ସାମଗ୍ରୀ ସମ୍ପର୍କରେ ପରିବର୍ତ୍ତିତ ଦୃଷ୍ଟୀଭଙ୍ଗୀ ଆମର ଜନସାଧାରଣଙ୍କୁ ଅନେକ ପରିମାଣରେ ଯେ ପ୍ରଭାବିତ କରୁଛି ତାହା ନିଶ୍ଚିତ ଭାବରେ ସ୍ୱକାର୍ଯ୍ୟ । ସେହିଭଳି ସମଲିଙ୍ଗୀ ବିବାହ ଓ ଲିଭିଙ୍ଗ୍ ଟୁଗେଦର୍ ଭଳି ବ୍ୟବସ୍ଥାକୁ ସାମାଜିକ ଓ ନ୍ୟାୟିକ ସ୍ୱୀକୃତି ଦିଆଯିବା ଫଳରେ ଆମର ନୈତିକତାକୁ ଧ୍ୱଂସାଭିମୁଖୀ କରାଯାଉଛି ବୋଲି ଅନେକ ଅନୁଭବ କରୁଛନ୍ତି ।
ଉତ୍ତେଜକ ଚଳଚ୍ଚିତ୍ର ଓ ଟିଭି ସିରିଏଲ୍ଠାରୁ ଇଣ୍ଟର୍ନେଟ୍ ଜରିଆରେ କମ୍ପ୍ୟୁଟର୍ର ବୋତାମ୍ ଚିପିବା ମାତ୍ରେ ଅନାୟାସରେ ମିଳିଯାଉଥିବା ଅଶ୍ଲୀଳ ଚିତ୍ର ଓ କାହାଣୀ ଏବଂ ଫେସ୍ବୁକ୍ରେ ଯୁବକ ଯୁବତୀମାନଙ୍କର ଅଶ୍ଲୀଳ ଆଳାପର ସୁଯୋଗ ସାଙ୍ଗକୁ ମୋବାଇଲ୍ରେ ଏମ୍.ଏମ୍.ଏସ୍ ଜରିଆରେ ଉତ୍ତେଜକ ବାର୍ତ୍ତା ଓ ଚିତ୍ରର ସଞ୍ଚାର ମଧ୍ୟ ବହୁ କ୍ଷେତ୍ରରେ ଚାରିତ୍ରିକ ସ୍ଖଳନ ପାଇଁ ଦାୟୀ ହେଉଛି । କେବଳ ଯେ ଯୁବକଯୁବତୀମାନେ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି ତାହା ନୁହେଁ ଅନେକ କ୍ଷେତ୍ରରେ ପୌଢ଼ ଓ ବୃଦ୍ଧମାନେ ମଧ୍ୟ ଏଥିରେ ପ୍ରଭାବିତ ହୋଇ ଜଘନ୍ୟ କାଣ୍ଡମାନ ଘଟାଉଥିବା ସମ୍ପର୍କରେ ସମ୍ବାଦମାନ ଗଣମାଧ୍ୟମରେ ପ୍ରଚାରିତ ହେଉଛି । ଆଲୋଚନାର ପରିସରରେ ରହି ଟିଆର୍ପି ବୃଦ୍ଧି ଘଟାଇ ବିଜ୍ଞାପନଦାତାମାନଙ୍କୁ ଆକର୍ଷିତ କରିବା ପାଇଁ ଆମ ରାଜ୍ୟର କେତେକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମ ଅହରହ ଚେଷ୍ଟା ଚଳାଉଥିବା ପରିଲକ୍ଷିତ ହେଉଛି । ଲଭ୍, ସେକ୍ସ ଆଉ ଧୋକା ସମ୍ପର୍କିତ ରସାଳ ସମ୍ବାଦ ପ୍ରସାର କରିବା ପାଇଁ ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟରୁ କେତେକଙ୍କ ଭିତରେ ପ୍ରତିଯୋଗିତା ଚାଲିଥିବା ପ୍ରତ୍ୟେକ ରୁଚିଶୀଳ ଦର୍ଶକଙ୍କୁ ବିବ୍ରତ କରୁଥିବା ପରିଲକ୍ଷିତ ହେଉଛି । ଟିଭି ସିରିଏଲ୍ ଅଥବା କ୍ରାଇମ୍ ରିପୋର୍ଟ ଜରିଆରେ ଅପରାଧିକ ଘଟଣାଗୁଡ଼ିକୁ ବେଶ୍ ବିସ୍ତୃତ ତଥା ବ୍ୟାପକ ଭାବରେ ପ୍ରସାର କରାଯାଉଛି । ତେବେ ଏହା ଅସଲରେ ସମାଜକୁ ଅପରାଧମୁକ୍ତ କରି ଗଢିବା ଉଦ୍ଦେଶ୍ୟରେ ହୋଇଥିଲେ ମଧ୍ୟ ଏହି ପ୍ରକାରର ସିରିଏଲ୍ ତଥା ରିପୋର୍ଟକୁ ଆଧାର କରି ଅପରାଧିକ କାର୍ଯ୍ୟକଳାପ ବଢିବାରେ ଦେଖାଯାଉଛି । କେତେକ ରାଜନେତାମାନେ ଦେଶରେ ବଢିଚାଲିଥିବା ଅପରାଧିକ ଘଟଣା ପାଇଁ ଗଣମାଧ୍ୟମକୁ ଦାୟୀ କରୁଥିବାର ଦେଖାଯାଉଛି । ସେମାନଙ୍କ ମତରେ କିଛି ଘଟଣାକୁ ଅତି ରଂଜିତ କରି ଗଣମାଧ୍ୟମ ଲୋକଙ୍କ ସାମ୍ନାକୁ ଆଣି ତାହାର ପ୍ରଚାର କରାଉଛି । ଯାହାଫଳରେ ଏହା ସମାଜରେ ଅପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଯୋଗାଉଛି ।
ଗଭୀର ଭାବରେ ଅନୁଧ୍ୟାନ କଲେ ଅନୁଭୂତ ହୁଏ ଯେ, ବହୁ କ୍ଷେତ୍ରରେ ଅର୍ଥନୈତିକ ଅପରାଧ ଘଟାଉଥିବା ବ୍ୟକ୍ତିମାନଙ୍କୁ ମଧ୍ୟରୁ ଅଧିକାଂଶ ପେଶାଦାର ଚାଟାର୍ଡ ଆକାଉଣ୍ଟାଣ୍ଟ୍ ମାନଙ୍କ ପରାମର୍ଶରେ ଉଦ୍ବୁଦ୍ଧ ହୋଇ ଆଇନ୍କୁ ସହଜରେ ଆଖିଠାର ମାରିବା ଭଳି ସୁଯୋଗ ସୃଷ୍ଟି କରୁଛନ୍ତି । ବିଭିନ୍ନ କ୍ଷେତ୍ରରେ ଗୁରୁତର ଅପରାଧ ଘଟାଉଥିବା ବ୍ୟକ୍ତିମାନେ ଯେଉଁ ଅର୍ଥନୈତିକ ପରାମର୍ଶଦାତା ବା ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଙ୍କ ଦ୍ୱାରା ଉତ୍ସାହିତ ହୋଇ ଏଭଳି କାଣ୍ଡମାନ କରୁଛନ୍ତି, ଆଇନ୍ରେ ସମ୍ପୃକ୍ତ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ବା ଆଇନ୍ ବିଶେଷଜ୍ଞମାନଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା ନଥିବାରୁ ସେମାନେ ଏଭଳି କାଣ୍ଡ ପାଇଁ ଉତ୍ସାହିତ କରିବା ଲାଗି ପଶ୍ଚାତ୍ପଦ୍ ହେଉନାହାନ୍ତି । ଆମ ରାଜ୍ୟରେ ଘଟିଥିବା ବିିଭିନ୍ନ ଚିଟ୍ଫଣ୍ଡ୍ ଠକେଇ ମାମଲାରେ ଲକ୍ଷ ଲକ୍ଷ ଅର୍ଥଲୋଭୀ, ଅଥଚ ନିରୀହ ବ୍ୟକ୍ତି ଠକାମୀର ଶିକାର ହୋଇଥିବା କାହାରିକୁ ଅଛପା ନାହିଁ । ଠକାମୀର ଶିକାର ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକଙ୍କୁ ସରକାର କ୍ଷତିପୂରଣ ଦେବା ଲାଗି ଘୋଷଣା କରିବା ଭଳି ନିଷ୍ପତ୍ତି ନୈତିକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ତେବେ ଏହିସବୁ ଘଟଣା ପାଇଁ ଆମେ ଦାୟୀ କରିବା କାହାକୁ । ଆଧୁନିକତାକୁ ନା ଆମର ନୈତିକ ଅବକ୍ଷୟକୁ । ଏକ ସୁସ୍ଥ ସମାଜ ଗଠନ କରିବା ହେଉଛି ଆମମାନଙ୍କର କର୍ତ୍ତବ୍ୟ । ପ୍ରଥମେ ନିଜେ ସୁଧୁରନ୍ତୁ ତା’ପରେ ସମାଜ ସୁଧୁରିବ । ପୂର୍ବକାଳରେ ପିଲାମାନଙ୍କୁ ଛୋଟ ଛୋଟ କାହାଣୀ ଜରିଆରେ ନୈତିକ ଶିକ୍ଷା ଦିଆଯାଇ ତାଙ୍କ ଚାରିତ୍ରିକ ସାଧୁତା ଉପରେ ଧ୍ୟାନ ଦିଆଯାଉଥିଲା । ଆଜିର ସମୟରେ ତାହା ଆଉ ଘଟୁନାହିଁ । ସମୟ ବଦଳିବା ସହିତ ଏଥିରେ ବ୍ୟାପକ ପରିବର୍ତ୍ତନ ଘଟିଛି । ୫ ବର୍ଷର ପିଲାଟି ମଧ୍ୟ ମୋବାଇଲ୍ କିମ୍ବା ଇଣ୍ଟରନେଟ୍ ସହିତ ଜଡ଼ିତ ହୋଇଯାଉଛି । ଇଣ୍ଟରନେଟ୍ ସୋସିଆଲ୍ ମିଡ଼ିଆ ଆମକୁ ଏତେ ପରିମାଣରେ ଗ୍ରାସ କରିଛି ଯେ ଆମେ ତାହାଠୁ ନିସ୍ତାର ପାଇପାରୁନାହିଁ । ଆମେ ମାନବରୁ ଯାନ୍ତ୍ରିକ ମାନବ ପାଲଟି ଯାଉଛି । ସେଥିପାଇଁ ବୋଧେ ଆମ ଭିତରେ ନୈତିକତା ହ୍ରାସ ଘଟିଚାଲିଛି । ଏବେ ସମୟ ଆସିଛି ନିଜ ଚିନ୍ତାଧାରାରେ ପରିବର୍ତ୍ତନ କରି ଏକ ସୁସ୍ଥ ସମାଜ ଗଠନ କରିବା ଦିଗରେ ସମସ୍ତେ ଚେଷ୍ଟା କରିବା । ଆଧୁନିକତାକୁ ଗ୍ରହଣ କରିବା ସହିତ ନିଜର ନୈତିକ ମୂଲ୍ୟବୋଧ ତଥା ସାମାଜିକ ମୂଲ୍ୟବୋଧ ପ୍ରତି ଯତ୍ନଶୀଳ ହେବା । ତାହାହେଲେ ଦୁରାରୋଗ୍ୟ କର୍କଟ ରୋଗ ଭଳି ବ୍ୟାପି ଚାଲିଥିବା ଅପରାଧର ନିୟନ୍ତ୍ରଣ ହୁଏତ ସମ୍ଭବ ହୋଇପାରିବ ।

Related Post